ପୁରୀ:ସହରରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ସ୍କିମରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଫଳ ପ୍ରକଳ୍ପକୁ ଅନୁଧ୍ୟାନ କଲେ ଲଣ୍ଡନରୁ ଆସିଥିବା ଆନ୍ତର୍ଜାତୀୟ ଓ୍ବାଟର ଆସୋସିଏସନର ପ୍ରତିନିଧିମଣ୍ଡଳୀ । ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ସ୍କିମରେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପୁରୀ ସହରବାସୀ ପାଉଥିବା ବେଳେ ଏହି ସଫଳ ପ୍ରକଳ୍ପ ଏବେ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ସାରା ବିଶ୍ବର ଅନେକ ସ୍ଥାନରେ ୨୪ ଘଣ୍ଟିଆ ପାନୀୟ ଜଳ ପାଇବା ଏକ ବଡ଼ ସମସ୍ୟା ଥିବାବେଳେ ପୁରୀ ସହରରେ ଏହା କିଭଳି ସଫଳ ହୋଇଛି ତାହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଲଣ୍ଡନରୁ ଆସିଥିବା ଆନ୍ତର୍ଜାତୀୟ ଓ୍ବାଟର ଆସୋସିଏସନର ପ୍ରତିନିଧି ମଣ୍ଡଳୀ ।
ଏହି ଟିମ୍ ପୁରୀ ସହରରେ ଓ୍ବାଟକୋ ପକ୍ଷରୁ ହୋଇଥିବା ୨୪ ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥାର କାର୍ଯ୍ୟ ଶୈଳୀ, ଉପଯୋଗ ହୋଇଥିବା ବୈଷୟିକ ଜ୍ଞାନ କୌଶଳ ବୁଲି ଦେଖିଥିଲେ । ସହରରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ପ୍ରୋଜେକ୍ଟ ସାରା ବିଶ୍ୱବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଏକ ନୂଆ ରାସ୍ତା ଦେଖାଇବ ବୋଲି ଆନ୍ତର୍ଜାତୀୟ ଓ୍ବାଟର ଆସୋସିଏସନ୍ ୟୁକେର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ କଲାନିଥି ଭୈରଭମୂର୍ତ୍ତି କହିଛନ୍ତି ।
ପୁରୀ ମଙ୍ଗଳାଘାଟରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ଅତ୍ୟାଧୁନିକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଦୈନିକ ୪୦ ଏମ୍ ଏଲ୍ ଡି ତଥା ୪ ଶହ ଲକ୍ଷ ଲିଟର ପାନୀୟ ଜଳ ଯୋଗାଣ ହେଉଛି । ଦୁଇଟି ବଡ଼ କୃତିମ ପୋଖରୀରେ ପାନୀୟ ଜଳକୁ ଗଚ୍ଛିତ କରାଯାଇ ସେହି ଜଳକୁ ବିଶୋଧନ ପରେ ପୁରୀ ସହରକୁ ୧୯ଟି ଓଭର ହେଡ୍ ଟାଙ୍କି ଦ୍ବାରା ଯୋଗାଣ ହେଉଛି ।