ଡକାୟତି ଗ୍ୟାଙ୍ଗର କିଙ୍ଗପିନ୍ ସରପଞ୍ଚ ପୁରୀ:ଡକାୟତି ଗ୍ୟାଙ୍ଗର କିଙ୍ଗ୍ପିନ ବାହାରିଲେ ଜଣେ ସରପଞ୍ଚ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ପୁରୀ ପୋଲିସ ଏକ ଡକାୟତି ଗ୍ୟାଙ୍ଗକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛି । ଡକାୟତି ଗ୍ୟାଙ୍ଗର କିଙ୍ଗପିନ୍ ଯାଜପୁର ଜିଲ୍ଲା କଳିଙ୍ଗନଗର ଯଖପୁରାର ସରପଞ୍ଚ ଅରୁଣଜ୍ୟୋତି ସାମଲ ବୋଲି ଜଣାପଡିଛି । ଏଥିସହ ତାଙ୍କ ସହଯୋଗୀ ବିଶ୍ବଜିତ ଘଡେ଼ଇ ଓ ଜ୍ଞାନରଞ୍ଜନ ସାମଲକୁ ପୁରୀ ତାଳବଣିଆ ଥାନା ପୋଲିସ ଗିରଫ କରିଛି ।
ଗତ ୨୭ ତାରିଖ ରାତିରେ ତାଳବଣିଆ ଥାନା ନିକଟରେ ପୁରୀ ପୋଲିସର କନଷ୍ଟେବଳ ବଳରାମ ମଲ୍ଲିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଏହି ଅଭିଯୁକ୍ତମାନେ ସୁନାଚେନ୍ ଲୁଟି ନେଇଥିଲେ। ଥାନାରେ ଅଭିଯୋଗ ପରେ ତାଳବଣିଆ ଥାନା ପୋଲିସ ତଦନ୍ତ କରି ଯଖପୁରାର ସରପଞ୍ଚ ଅରୁଣଜ୍ୟୋତି ସାମଲ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି । ଏଭଳି ଏକ ଡକାୟତି ଘଟଣାରେ ଜଣେ ସରପଞ୍ଚ ଗିରଫ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।
ଅନ୍ୟପଟେ ପୁରୀ ତାଳବଣିଆ ଥାନା ଦ୍ବାରା ଗିରଫ ହୋଇଥିବା ଯଖପୁରା ସରପଞ୍ଚ ଅରୁଣଜ୍ୟୋତି ସାମଲଙ୍କ କଳା କାରନାମା ଧୀରେଧୀରେ ସାମ୍ନାକୁ ଆସୁଛି । ଅଭିଯୁକ୍ତ ସରପଞ୍ଚ ଅରୁଣଜ୍ୟୋତି ତାଙ୍କ ସହଯୋଗୀଙ୍କ ସହ ମିଶି ମାରଣାସ୍ତ୍ର ଓ ପେଟ୍ରୋଲ୍ ବମ୍ ପକାଇ ଜଣେ ଠିକାଦାରଙ୍କୁ ଜୀବନରେ ମାରିଦେବା ପାଇଁ କିଭଳି ଉଦ୍ୟମ କରିଥିଲା । ଏକ ସିସିଟିଭି ଫୁଟେଜରୁ ଏହି ତଥ୍ୟ ପଦାକୁ ଆସିଛି । ଗତ ଜାନୁଆରୀ ୧୯ ତାରିଖ ଦିନ ଯାଜପୁର ଜିଲ୍ଲା ଯଖପୁରା ଥାନା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ଦାଦାବଟି ମାଗିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ ଏହି ଅଭିଯୁକ୍ତ ସରପଞ୍ଚ ଓ ତାଙ୍କ ସହଯୋଗୀ । ଏହି ଅଭିଯୋଗକୁ ଭିତ୍ତି କରି ଯଖପୁରା ପୋଲିସ ଅରୁଣଜ୍ୟୋତି ଓ ଅନ୍ୟମାନଙ୍କୁ ଖୋଜୁଥିବା ବେଳେ ସେମାନେ ଫେରାର ହୋଇଯାଇଥିଲେ । ତେବେ ଫେରାର ଥିବା ସମୟରେ ଅଭିଯୁକ୍ତମାନେ ପୁରୀ ଆସି ଜଣେ ପୋଲିସଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଡକାୟତି କରିବାରେ ଜଣେ ସରପଞ୍ଚ ସମ୍ପୃକ୍ତି ରହିବା ନେଇ ସାଧାରଣରେ ନିନ୍ଦା କରାଯାଇଛି ।
ନିଜ ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ଜନସାଧାରଣ ନିଜର ଜନପ୍ରତିନିଧି ନିର୍ବାଚିତ କରିଥାନ୍ତି । ତେବେ ଲୋକ ପ୍ରତିନିଧି ତଥା ଯଖପୁରା ସରପଞ୍ଚ ଅରୁଣଜ୍ୟୋତି ସାମଲ ଡକାୟତି ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲାରେ ସମ୍ପୃକ୍ତି ରହିବା ନେଇ ଏକ କଳଙ୍କ ସୃଷ୍ଟି କରିଛି ।
ଇଟିଭି ଭାରତ, ପୁରୀ