ପୁରୀ:ଆଜି ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ନିକଟ ଜଙ୍ଗଲ ଭିତରେ ଥିବା ଏକ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ । ଆଜି ସକାଳୁ ଇଣ୍ଡୋର ଷ୍ଟାଡିୟମ ନିକଟ ଜଙ୍ଗଲକୁ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ପୋଖରୀରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ ମହିଳାଙ୍କ ବୟସ ୪୦ରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ...ସସପେନ୍ସରେ ସୁସ୍ମିତାଙ୍କ ମୃତ୍ୟୁ, ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଉପରେ ପରିବାର ଆଣିଲା ହତ୍ୟା ଅଭିଯୋଗ
ତେବେ ଥାନାରେ ନିଖୋଜ ନେଇ କିଛି ମାମଲା ହୋଇଛି କି ନାହିଁ ତାର ମଧ୍ୟ ଅନୁସନ୍ଧାନ କରୁଛି ପୋଲିସ । ପୋଲିସ ମିହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାସ୍ଥଳରେ ସମୁଦ୍ର କୂଳ ଓ ତାଳବଣିଆ ଥାନା ପୋଲିସ ସହ ସିଟି ଡିଏସପି ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମହିଳାଙ୍କୁ ହତ୍ୟା କରାଯାଇ ଦୁର୍ବୃତ୍ତମାନେ ପୋଖରୀରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସେପଟେ ଘଟଣାର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।