ଓଡିଶା

odisha

ETV Bharat / state

ଜଗା ବଳିଆ ପିନ୍ଧିଲେ କୁନି ଭଉଣୀଙ୍କ ରାକ୍ଷୀ, ପାଉଣା ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ ଶ୍ରୀମନ୍ଦିର ପ୍ରଶାସନ ଠିକଣାରେ ଭଦ୍ରକରୁ ଆସିଛି ରାକ୍ଷୀ । ପଠାଇଛନ୍ତି ଷଷ୍ଠ ଶ୍ରେଣୀର ଜଣେ କୁନି ଭଉଣୀ । ସେ ରାକ୍ଷୀ ସହ ଦୁଇ ଭାଇ ଜଗା ବଳିଆଙ୍କୁ ଲଡୁ ଖୁଆଇବା ଉଦ୍ଦେଶ୍ୟରେ ୫୦୦ ଟଙ୍କା ମଧ୍ୟ ପଠାଇଛନ୍ତି । ସବୁଠାରୁ ବଡ଼କଥା ହେଉଛି ଏହି ରାକ୍ଷୀ ଗ୍ରହଣ କରିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ କୁନି ଭଉଣୀଙ୍କ ନିକଟକୁ ମହାପ୍ରଭୁଙ୍କ ଆଶୀର୍ବାଦ ତଥା ରାକ୍ଷୀ ପାଉଣା ମଧ୍ୟ ପ୍ରେରଣ କରାଯାଇଛି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Sep 1, 2023, 5:00 PM IST

ଜଗା ବଳିଆ ପିନ୍ଧିଲେ କୁନି ଭଉଣୀଙ୍କ ରାକ୍ଷୀ
ଜଗା ବଳିଆ ପିନ୍ଧିଲେ କୁନି ଭଉଣୀଙ୍କ ରାକ୍ଷୀ

ପୁରୀ: ଏବେ ଏବେ ସରିଛି ରାକ୍ଷୀ ପୂର୍ଣ୍ଣିମା । ସାରା ଦେଶରେ ଭାଇ ଭଉଣୀଙ୍କ ଏହି ପବିତ୍ର ସମ୍ପର୍କର ପବିତ୍ର ଉତ୍ସବ ପାଳନ ହୋଇଛି । ସ୍ନେହ ପ୍ରେମର ବନ୍ଧନକୁ ଆହୁରି ମଜଭୁତ କରିବା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଦିଏ ଭଉଣୀ । ରେଶମୀ ଡୋରି ବାନ୍ଧି ଭାଇକୁ ମାଗିଥାଏ ରକ୍ଷା କରିବାର ପ୍ରତିଶ୍ରୁତି । ନଥାଏ ଅଭିମାନ, ନଥାଏ ଆଶା ବା କିଛି ପାଇବାର ଇଚ୍ଛା । ତେବେ ଗତକାଲି (ଗୁରୁବାର) ପୁରୀ ଶ୍ରୀମନ୍ଦିରରେ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ ତଥା ରକ୍ଷା ବନ୍ଧନ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଥିଲା । ଅଲିଅଳି ଭଉଣୀ ସୁଭଦ୍ରା ଦୁଇ ଭାଇ ଜଗା ଓ ବଳିଆଙ୍କୁ ରାକ୍ଷୀ ବାନ୍ଧିଥିଲେ । ହେଲେ କେବଳ ସୁଭଦ୍ରା ନୁହେଁ, ଏଥର ଆଉଜଣେ କୁନି ଭଉଣୀଙ୍କ ରାକ୍ଷୀ ପିନ୍ଧିଥିଲେ ମହାପ୍ରଭୁ । ବଡ଼ ଠାକୁରଙ୍କ ଏହି କୁନି ଭଉଣୀ ହେଉଛନ୍ତି ଭଦ୍ରକ ଜିଲ୍ଲା ବାମନବିନ୍ଧା ଗ୍ରାମର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ସାଇ ସୁକନ୍ୟା ମହାନ୍ତି । ମହାବାହୁରେ କୁନି ଭଉଣୀଙ୍କ ରାକ୍ଷୀ ବାନ୍ଧି ଏହା ବଦଳରେ ମହାପ୍ରଭୁଙ୍କ ତରଫରୁ ପାଉଣା ମଧ୍ୟ ପଠାଇଛି ଶ୍ରୀମନ୍ଦିର ପ୍ରଶାସନ ।

ଜଗା ବଳିଆ ପାଖକୁ କୁନି ଭଉଣି ର ରାଖୀ ସହିତ ପଠାଇଥିବା ଚିଠି କୁ ନେଇ ବେଶ୍ ଚର୍ଚ୍ଚା

ସୁଦୂର ଭଦ୍ରକରୁ ଏହି କୁନି ଭଉଣୀ ପଠାଇଛନ୍ତି ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ଦୁଇଟି ରାକ୍ଷୀ । ମହାପ୍ରଭୁଙ୍କ ପ୍ରେମ ଓ ଭକ୍ତିରେ ଏତେ ନିମଗ୍ନ ହୋଇଛନ୍ତି ଯେ, ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଦୁଇଟି ରାକ୍ଷୀ ପଠାଇବା ସହିତ ଭାଇ ଭଉଣୀଙ୍କୁ ଲଡ଼ୁ ଖୁଆଇବା ପାଇଁ ୫୦୦ ଟଙ୍କା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଠିକଣାରେ ପଠାଇଛନ୍ତି ସାଇ ସୁକନ୍ୟା । ତେବେ ଏହି ରାକ୍ଷୀ ଓ ଟଙ୍କା ସହିତ ଚିଠିଟିଏ ନିଜ ହାତରେ ଲେଖି ପଠାଇଛନ୍ତି ମହାପ୍ରଭୁଙ୍କ ଏହି କୁନି ଭଉଣୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟକୁ ଆସିଥିବା ଏହି ଚିଠିରେ କୁନି ଭଉଣୀ ଲେଖିଛନ୍ତି "ଅଙ୍କଲ ମହାଶ୍ୟ, ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ । ମୁଁ ପଠାଇଥିବା ଦୁଇଟି ରାକ୍ଷୀକୁ ମୋ ଦୁଇଭାଇ ଜଗା ଓ ବଳିଆଙ୍କୁ ପିନ୍ଧାଇଦେବେ । ଆଉ ପଠାଇଥିବା ଟଙ୍କାରେ ଭାଇ ଭଉଣୀଙ୍କୁ ଲଡୁ ଖୁଆଇ ଦେବେ ।" ତେବେ ଏହି ଚିଠି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । କୁନିଝିଅର ଏଭଳି ଭାବପୂର୍ଣ୍ଣ ଚିଠି ପହଞ୍ଚିବା ପରେ ଉତ୍ତର ଦେବାକୁ ମଧ୍ୟ ଭୁଲିନାହାନ୍ତି ଶ୍ରୀମନ୍ଦିର ପ୍ରଶାସନ ।

ଜଗା ବଳିଆ ପାଖକୁ କୁନି ଭଉଣି ର ରାଖୀ ସହିତ ପଠାଇଥିବା ଚିଠି କୁ ନେଇ ବେଶ୍ ଚର୍ଚ୍ଚା

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ପିନ୍ଧାଇଲେ ଭଉଣୀ ସୁଭଦ୍ରା

ଏହି ସ୍ପିଡ୍‌ପୋଷ୍ଟ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ତାହାକୁ ଗ୍ରହଣ କରାଯାଇଥିଲା । ଏହାକୁ ଗ୍ରହଣ କରିବାପରେ ଏହି ରାକ୍ଷୀ ଦୁଇଟିକୁ ମହାପ୍ରଭୁଙ୍କ ନିକଟରେ ଲାଗି ଯାଇଛି । ଏଥି ସହିତ ୫୦୦ ଟଙ୍କାକୁ ଦାନ ଭାବେ ଗ୍ରହଣ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁନିଝିଅ ପାଖକୁ ଏକ ଅଫିସିଆଲ ଲେଟର ପଠାଯାଇଛି । ମହାପ୍ରଭୁଙ୍କ ଆଶୀର୍ବାଦ ସହିତ ରାକ୍ଷୀ ପାଉଣା ବାବଦକୁ ମହାପ୍ରଭୁଙ୍କ ରଥକନା, ନିର୍ମାଲ୍ୟ, ରଥ ଦଉଡି, ରଥକାଠ ସମ୍ବଳିତ ଏକ ପ୍ୟାକେଟ୍‌ କୁନି ଭଉଣୀଙ୍କ ପାଖକୁ ପଠାଯାଇଛି । କୁନିଝିଅର ଏଭଳି ମହାନ କାର୍ଯ୍ୟ ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । ତେବେ ଏହି ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details