ନୂଆପଡା : ମାଠିଏ ପାଣି ପାଇଁ ଏଠାରେ ନିତି ଲାଗେ ଲମ୍ବା ଲାଇନ । ବିଲ ହୁଡା ଦେଇ ଗାଁର ଶହ ଶହ ମହିଳା ଯାଆନ୍ତି 2 କିଲୋମିଟର ଦୂରରେ ରହିଥିବା ନଦୀ ଚୁଆକୁ । ଆଉ ଏଠାରୁ ଯାହା ମିଳେ ତାକୁ ପିଇଲେ ଡାକ୍ତରଖାନା ଯିବା ନିଶ୍ଚିତ । ଏପରି ଦଶା ଭୋଗୁଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ଖଇରଭାଡି ଗ୍ରମାବାସୀ ।
ପଥର ଉପରେ ଠିଆ ରହିଛି ଏହି ଗାଁ । ମାଟି ଖୋଲିଲେ ଖାଲି ମାଙ୍କଡା ପଥର । ପାଣି ନାଁରେ ଯେଉଁ କୂଅ ଆଉ ନଳକୂଅଟିଏ ଅଛି ସେ ବି ଶୁଖି ଆଁ କରିଛି । ଆଉ ରାସ୍ତାର ସ୍ଥିତି ଏପରି ଯେ ପାଦ ଥୋଇବାକୁ ଡର ମାଡୁଛି । କାଖରେ ପାଣି ଗରା, ହାତରେ ବାଲଟି ଧରି ବିଲ ହୁଡା ଦେଇ ପାଣି ଆଣୁଛନ୍ତି ଗାଁର ମହିଳା । ଆଉ ଏହି ମରଣଯନ୍ତା ରାସ୍ତାରେ ଦେଇ ଗଲାବେଳେ କାହିଁ କେତେ ଜଣ ଦୁର୍ଘଟଣାର ମଧ୍ୟ ଶୀକାର ହୋଇଥାନ୍ତି ।