ନୂଆପଡା: କାହିଁ କେଉଁ କାଳରୁ ରିଶିଗାଁ ଠାରେ ଅବସ୍ଥିତ ହୋଇଛି ଋଷିପୀଠ ଯୋଗୀମଠ ପର୍ଯ୍ୟଟନ କ୍ଷେତ୍ର । ଏହି ପର୍ଯ୍ୟଟନ କ୍ଷେତ୍ର ଓଡିଶା ମାନଚିତ୍ରରେ ସ୍ଥାନ ପାଇଛି ସତ, ହେଲେ ସଂସ୍କୃତି ବିଭାଗର ଅଣଦେଖା କାରଣରୁ ବିଭିନ୍ନ ସମସ୍ୟା ଘେରରେ ଥିବା ଅଭିଯୋଗ ହୋଇଛି । ପର୍ଯ୍ୟଟକ ଯାତାୟତ କରିବାକୁ ପକ୍କା ରାସ୍ତା, ପାନ୍ଥନିବାସ, ପିଇବାପାଣି, ବିଜୁଳି ଆଦି ବିଭିନ୍ନ ସମସ୍ୟା ଘେରରେ ରହିଛି ଋଷିପୀଠ ଯୋଗୀମଠ ପର୍ଯ୍ୟଟନ କ୍ଷେତ୍ର ।
ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 81 କିଲୋମିଟର ଦୂରତା ରିଶିଗାଁ ଠାରେ ଅବସ୍ଥିତ ଏହି ଯୋଗୀମଠ ପର୍ଯ୍ୟଟନ କ୍ଷେତ୍ର । ଆକର୍ଷିତ ପଥର ଚଟାଣ, ପଥର ଗୁମ୍ଫା ସହ ପ୍ରାକୃତିକ ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ପ୍ରତିଦିନ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟେ । ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଭ୍ରମଣ କରିବା ପାଇଁ ଆସି ହତାଶ ହୋଇ ଫେରିଯାଆନ୍ତି । କାରଣ ଏଠାରେ ପାନ୍ଥ ନିବାସ, ପାଣି, ବିଜୁଳି ଆଦି କୌଣସି ବ୍ୟବସ୍ଥା ନାହିଁ । ସରକାରଙ୍କ ପାଣ୍ଠିରୁ କୌଣସି ଉନ୍ନତି ହୋଇନାହିଁ । କେବଳ ସ୍ଥାନୀୟ ବଦାନ୍ୟ ବ୍ୟକ୍ତିଙ୍କ ସହାୟତାରେ ଜତକିଞ୍ଚିତ ଉନ୍ନତି ହୋଇପାରିଛି ।