ନୂଆପଡା: କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ମାଳମାଳ ଯୋଜନା । ହେଲେ ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣ ଗରୀବ ଲୋକଙ୍କ ପାଖରେ ସରକାରୀ ଯୋଜନା ଏବେବି ଅପହଞ୍ଚ । ଗ୍ରାମାଞ୍ଚଳରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି । ଆମେ କହୁଛୁ ନୂଆପଡ଼ା ଜିଲ୍ଲା ଗୋଇମୁଣ୍ଡି ଗାଁ ର ଅସହାୟ ବୃଦ୍ଧା ଉର୍ମିଳା କାଣ୍ଡ ଓ ତାଙ୍କ ସ୍ୱାମୀ ପରିତ୍ୟକ୍ତା ଝିଅ ସୁନିତା କାଣ୍ଡ କଥା । ଭଙ୍ଗା ଦଦରା ଘରେ ବିତୁଛି ମାଆ ଓ ଝିଅଙ୍କ ଜୀବନ । ଘରର ମାଟି କାନ୍ଥ ଫାଟି ଆଁ କରିଥିବା ବେଳେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର କିରଣ ପ୍ରବେଶ କରୁଛି ଘରକୁ । ଆଉ ବର୍ଷା ଦିନ କଥା ନ କହିବା ଭଲ । ଭାଗ୍ୟକୁ ଆଦରି ଏହି ଭଙ୍ଗା ଦଦରା ଘରେ ପଡି ରହିଛନ୍ତି ମାଆ ଓ ଝିଅ । ଗରିବଙ୍କ ପାଇଁ ସରକାର କରିଥିବା ମାଳମାଳ ଯୋଜନା ଏମାନଙ୍କ ପାଇଁ ଯେମିତି ସାତ ସପନ । ଏମାନେ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି । ସରକାରଙ୍କ ଅନେକ ଯୋଜନା ଥିଲେ ବି ଆଜି ଅସହାୟ ଏହି ପରିବାର ।
ଏହା ମଧ୍ୟ ପଢନ୍ତୁ- ମିଳୁନି ପକ୍କା ଘର, ଅସହାୟ ଜୀବନ କାଟୁଛନ୍ତି ଗୁରୁବାରୁଙ୍କ ପରିବାର
ଜିଲ୍ଲାର ସଦରମହକୁମାଠାରୁ 60 କିମି ଦୂରତା 353 ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡି ଗାଁ । ଆଉ ଏହି ଗାଁ'ରେ ବାସ କରନ୍ତି 80 ବର୍ଷୀୟା ଅସହାୟ ବୃଦ୍ଧା ମହିଳା ଉର୍ମିଳା କାଣ୍ଡ ଏବଂ ସ୍ୱାମୀ ପରିତ୍ୟକ୍ତା 30 ବର୍ଷୀୟା ଝିଅ ସୁନିତା କାଣ୍ଡ । ଆଜକୁ ପ୍ରାୟ ଦୁଇ ବର୍ଷ ହେବ ଚିକିତ୍ସା ଅଭାବରୁ ବିଛଣାରେ ପଡ଼ି ରହିଛନ୍ତି ଉର୍ମିଳା କାଣ୍ଡ । ବୃଦ୍ଧା ଉର୍ମିଳା କାଣ୍ଡ ଗାଁ ଦାଣ୍ଡରେ ଚାଲୁଥିବା ବେଳେ ଝୁଣ୍ଟି ପଡ଼ି ଡାହାଣ ଗୋଡ଼ ଭାଙ୍ଗି ଯାଇଛି । ଉର୍ମିଳାଙ୍କ ସ୍ୱାମୀ ପରିତ୍ୟକ୍ତା ଝିଅ ସୁନିତା କାଣ୍ଡ ଧାର କରଜ କରି ମାଆ ଉର୍ମିଳାଙ୍କ ଚିକିତ୍ସା କରାଇଥିଲେ । ହେଲେ ସମ୍ପୂର୍ଣ୍ଣ ଆରୋଗ୍ୟ ହେଲେ ନାହିଁ ଉର୍ମିଳା । ଉର୍ମିଳାଙ୍କ ଅଧିକ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।