ଲୋୟର ଇନ୍ଦ୍ର ପର୍ଯ୍ୟଟନ କ୍ଷେତ୍ରରେ ଜମୁଛି ଭିଡ, ନୂଆପଡା: ନୂଆପଡ଼ା ଜିଲ୍ଲାର ବହୁ ପ୍ରସିଦ୍ଧ ଲୋୟର ଇନ୍ଦ୍ର ପର୍ଯ୍ୟଟନ କ୍ଷେତ୍ରରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼ । ସମସ୍ତଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ହରିପୁର ହରିଘାଟ ନୌକା ବିହାର । ଶୀତୁଆ ପବନ ସାଙ୍ଗକୁ ଧଳା ଚାଦରରେ ଆଚ୍ଛନ୍ନ ନୀଳ ଜଳରାଶି ସହ ନିକଟରେ ରହିଛି ଆକର୍ଷଣୀୟ ପାର୍କ । ଜୁଇ ଜାଇ ହେନା ଟଗର ବାସ୍ନାରେ ଚହଟୁଛି ପୁରା ଅଞ୍ଚଳ । ବୁଲିବୁଲି ମଜା ନେଉଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ । ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଥିବାରୁ ଭିଡ଼ ଆହୁରୀ ବଢ଼ିବ ବୋଲି ଆଶା କରାଯାଉଛି ।
ଶୀତ ଋତୁର ଆଗମନ ସହ ଆସିଥାଏ ପର୍ଯ୍ୟଟନ ଋତୁ । ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ପର୍ଯ୍ୟଟକମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ତେବେ ନୂଆପଡ଼ାର 353 ଜାତୀୟ ରାଜପଥ ତିଖାଲି ଗାଁଠାରେ ଅବସ୍ଥିତ ବହୁ ପ୍ରସିଦ୍ଧ ଲୋୟର ଇନ୍ଦ୍ର ପର୍ଯ୍ୟଟନ କ୍ଷେତ୍ର । ଏହି ପର୍ଯ୍ୟଟନ କ୍ଷେତ୍ର ବେଶ ମନଲୋଭା ହୋଇଥିବା ବେଳେ, ଚଳିତବର୍ଷ ହରିପୁର ହରିଘାଟଠାରେ ଆକର୍ଷଣୀୟ ନୌକା ବିହାର ପର୍ଯ୍ୟଟକଙ୍କ ମନ କିଣୁଛି । ବିଶେଷ କରି ଗଭୀର ନୀଳ ଜଳରାଶିରେ ବୋଟିଂର ମଜା ନେଉଛନ୍ତି ଯୁବପୀଢ଼ି ।
ଏହାମଧ୍ୟ ପଢନ୍ତୁ.. ଆସୁଛି ପର୍ଯ୍ୟଟନ ଋତୁ; ପର୍ଯ୍ୟଟକଙ୍କ ପାଇଁ କେତେ ପ୍ରସ୍ତୁତ ନନ୍ଦନକାନନ; ବନ୍ଦ ବୋଟିଂ, ଚାଲୁନି ରୋପ ୱେ
ତେବେ 2000 ମସିହାରେ ଲୋୟର ଇନ୍ଦ୍ର ପର୍ଯ୍ୟଟନ କ୍ଷେତ୍ରର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ 23 ବର୍ଷପରେ ଏହା ପୂର୍ଣ୍ଣାଙ୍ଗ ରୂପରେ ସଜ୍ଜିତ ହୋଇଥିବା କୁହାଯାଉଛି । ଏହି ପର୍ଯ୍ୟଟନ କ୍ଷେତ୍ର ନିର୍ମାଣରେ 10ଟି ଗାଁ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବା ବେଳେ, 21ଟି ଗାଁ ଆଂଶିକ ପ୍ରଭାବିତ ହୋଇଛି । ହଜାର ହଜାର ଲୋକଙ୍କୁ ସରକାର ବିସ୍ଥାପିତ କରି ଅନ୍ୟତ୍ର ଥଇଥାନ କରିଛନ୍ତି । ପର୍ଯ୍ୟଟନ କ୍ଷେତ୍ର ଜଳଭଣ୍ଡାର 7 ହଜାର 5 ଶହ 29 ହେକ୍ଟର ରିଜର୍ଭ ଅଞ୍ଚଳ ରହିଥିବା ବେଳେ, ବଲାଙ୍ଗୀର ଜିଲ୍ଲାର 18 ହଜାର ହେକ୍ଟର ଚାଷ ଜମି ଏବଂ ନୂଆପଡ଼ା 12 ହଜାର ହେକ୍ଟର ଚାଷଜମିକୁ ଜଳସେଚନ ବ୍ୟବସ୍ଥା ରହିଛି । ଏହାର ନିର୍ମାଣ ପାଇଁ ହଜାର ହଜାର ଲୋକେ ନିଜ ଭିଟା ମାଟିକୁ ତ୍ୟାଗ କରି ପର୍ଯ୍ୟଟକଙ୍କୁ ଖୁସି ଦେଇଛନ୍ତି । ଖଡିଆଳ ସହର ଠାରୁ ଏହା ମାତ୍ର 15 କିଲୋମିଟର ଦୂର ହୋଇଥିବା ବେଳେ ନୂଆପଡ଼ା ଜିଲ୍ଲା ସଦର ମହକୁମାଠାରୁ 353 ଜାତୀୟ ରାଜପଥ ଦେଇ 60 କିଲୋମିଟର ଅତିକ୍ରମ କରିବାକୁ ପଡ଼ିବ ।
ନୂଆପଡା, ଇଟିଭି ଭାରତ