ନୂଆପଡା:ଜିଲ୍ଲା ଅବହେଳିତ କୋଟାମାଲ ଗାଁରେ ପରିମଳ ରାସ୍ତାଘାଟ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଏହିସବୁ ଅସୁବିଧା ସୁଧାରିବା ପାଇଁ ସରକାର ସ୍ୱଚ୍ଛ ଭାରତ ନାଁରେ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଥିବାବେଳେ କୋଟାମାଲ ଗାଁରେ ଯୋଜନା ବାଟବଣା ହୋଇପଡିଛି । ଦୀର୍ଘ 15ବର୍ଷ କାଳ ଗାଁଟି ଅବହେଳିତ ଅବସ୍ଥାରେ ପଡିଥିବାବେଳେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ନକହିବା ଭଲ । ଶୀତ, ଖରା, ବର୍ଷା ସବୁ ଋତୁରେ ଗାଁ ଦାଣ୍ଡରେ କାଦୁଅ ମଇଳା ପାଣି ଭାସୁଛି । ଫଳରେ ଗାଁ ଲୋକେ ବିଭିନ୍ନ ସଂକ୍ରମଣରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।
ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 85 କିଲୋମିଟର ଦୂର ଖଡ଼ିଆଳ ବ୍ଲକସ୍ଥିତ ଅବହେଳିତ କୋଟାମାଲ ଗାଁ । ଗାଁର ନାଗପଡା ଠାରୁ କେତକିପଡା ପର୍ଯ୍ୟନ୍ତ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଗିଡି ଯାଇଛି । ଗାଁଲୋକେ କାଦୁଅ ପାଣି ଉପରେ ଯାତାୟତ କରୁଥିବାବେଳେ, ମଶା ମାଛି ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଫଳରେ କାଛୁକୁଣ୍ଡିଆ, ମ୍ୟାଲେରିଆ ରୋଗ ଆଦି ଗାଁରେ ବ୍ୟାପିବାରେ ଲାଗିଛି । ଗାଁର ଏଭଳି ସମସ୍ୟା ଦିନେ କିମ୍ବା ଦୁଇ ଦିନର ନୁହେଁ । ସମସ୍ୟାର ସମାଧାନ ପାଇଁ ୱାର୍ଡମେମ୍ବର ଠାରୁ ଆରମ୍ଭ କରି ଗାଁ ସରପଞ୍ଚ ଏବଂ ଖଡ଼ିଆଳ ବିଡିଓଙ୍କୁ ଜଣାଇଛନ୍ତି, ହେଲେ ଫଳ ଶୂନ ।