ନୂଆପଡ଼ା: ତହସିଲ କାର୍ଯ୍ୟାଳୟ ଆଗରେ ଦିବ୍ୟାଙ୍ଗଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଚାକିରିରୁ ତହସିଲଦାରଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ । କାର୍ଯ୍ୟରେ ଅବହେଳା ଯୋଗୁଁ ନୂଆପଡ଼ା ଜିଲ୍ଲା ସଦର ତହସିଲଦାର ଦେବେନ୍ଦ୍ର ରାଉତଙ୍କୁ ନିଲମ୍ବନ କରାଯାଇଥିବା ନେଇ ଜିଲ୍ଲାପାଳ ହେମକାନ୍ତ ସାଏ ସୂଚନା ଦେଇଛନ୍ତି । ଗତ ଗୁରୁବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦିବ୍ୟାଙ୍ଗ ଯୁବକ ।
ମୃତ ଯୁବକ ଜଣକ ହେଉଛନ୍ତି ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର 35 ବର୍ଷୀୟ ଜଗଦୀଶ ଚୌହାନ । ନିଜ ଜମି ବିକ୍ରି କରିବାକୁ ନୂଆପଡ଼ା ତହସିଲଦାରଙ୍କ ଅନୁମତି ପାଇଁ ଦୀର୍ଘ 4 ବର୍ଷ ହେଲା ଦରଖାସ୍ତ କରିଥିଲେ । ହେଲେ ତହସିଲଦାର ଅନୁମତି ଦେବା ପରିବର୍ତ୍ତେ ହଇରାଣ ହରକତ କରି ଆସୁଥିବା ସେ ଅଭିଯୋଗ କରିଥିଲେ । ଫଳରେ ଯୁବକ ଜଣକ ଚିନ୍ତାରେ ଭାଙ୍ଗି ପଡିଥିଲେ । ଗୁରୁବାର ନୂଆପଡ଼ା ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ହଠାତ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଜଗଦୀଶ ଚୌହାନ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଶୁକ୍ରବାର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।