ନୂଆପଡା: ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥ ଗୌତମାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକଅପ୍ ଭ୍ୟାନକୁ ପଛରୁ ଧକ୍କା ଦେଲା ବାଇକ । ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ତେବେ ମୃତକ ଦୁଇ ଜଣ ଭାଗତରାମ ଶବର ଓ ଗୁପ୍ତେ ଶବର ବୋଲି ପରିଚୟ ମିଳିଛି ।
ସୂଚନା ମୁତାବକ, ନୂଆପଡା ସଦର ବ୍ଲକ କରଚୁଲ ଗାଁର ଭାଗତରାମ, ଗୁପ୍ତେ ଶବର ଏବଂ କାଣ୍ଡେତରା ଗାଁର କବି ଶବର ମଙ୍ଗଳବାର କୌଣସି କାମ ପାଇଁ ନୂଆପଡାରୁ ଖରିଆର ରୋଡ଼ ଅଭିମୁଖେ ଗୋଟିଏ ମୋଟର ସାଇକଲରେ ଦ୍ରୁତଗତିରେ ଯାଉଥିଲେ । ବାଟରେ 353 ଜାତୀୟ ରାଜପଥ ଗୌତମାଠାରେ ବାଇକ ଚାଳକ ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଏକ ପିକଅପ ଭ୍ୟାନକୁ ପଛପଟୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ 2 ବାଇକ ଆରୋହୀ ଭାଗତରାମ ଶବର, ଗୁପ୍ତେ ଶବରଙ୍କ ମୃତ୍ୟୁ ହୋଇଥିଲା ।
ସେହିପରି ବାଇକରେ ବସିଥିବା ଅନ୍ୟ ଜଣେ କାଣ୍ଡେତରା ଗାଁର କବି ଶବର ଗୁରୁତର ଆହତ ହୋଇଥିଲେ । ଏହାଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର କବି ଶବରଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଖରିଆର ରୋଡ଼ ନୂଆପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।