ନୂଆପଡା: ପ୍ରାତଃ ସନ୍ଧ୍ୟା ବ୍ୟାୟାମ ପ୍ରାଣାୟମ ସହିତ ଆମୋଦ ପ୍ରମୋଦ କରିବା ଏବଂ ଭ୍ରମଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଗ୍ରାମ ପଞ୍ଚାୟତ ଗୁଡିକରେ ଗ୍ରାମୀଣ ପାର୍କ ନିର୍ମାଣ କରିଛନ୍ତି । ଯାହାଫଳରେ ଗ୍ରାମାଞ୍ଚଳର ବରିଷ୍ଠ ନାଗରିକ ଯୁବକ ଯୁବତୀ ତଥା ଛାତ୍ରଛାତ୍ରୀ ପାର୍କର ମଜାନେଇ ଉତ୍ତମ ସ୍ୱାସ୍ଥ୍ୟ ଗଠନ କରି ପାରିବେ । ହେଲେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାର୍କର ସୁରକ୍ଷା ଓ ରକ୍ଷଣବେକ୍ଷଣା ଅଭାବରୁ କରଙ୍ଗାମାଲ ଗ୍ରାମୀଣ ପାର୍କ ଭାଙ୍ଗି ନଷ୍ଟ ହେବା ସହିତ ମଶାଣି ଭୂଇଁ ପାଲଟି ଯାଇଛି ।
ନୂଆପଡା ଜିଲ୍ଲା ବୋଡେନ ବ୍ଲକ କରଙ୍ଗାମାଲ ହାଇସ୍କୁଲ ଲାଗିରହିଛି ଓଡିଶା ସରକାରଙ୍କ ନିର୍ମିତ ଗ୍ରାମୀଣ ପାର୍କ । ଏହି ପାର୍କରେ 20 ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇଛି । ନୂଆପଡା ତତ୍କାଳୀନ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଡ୍ରିମ ପ୍ରୋଜେକ୍ଟ ଭାବରେ ପରିଗଣିତ ହୋଇଥିଲା । ଜିଲ୍ଲାରେ ଏହି ପାର୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ, ପାର୍କକୁ ଦେଖିବାପାଇଁ ଅନ୍ୟ ଅଞ୍ଚଳର ଲୋକମାନେ ଆସୁଥିଲେ । ପାର୍କକୁ ଦେଖି ପାର୍କର ଗୁଣ ଗାରିମାର ପ୍ରଶଂସା ମଧ୍ୟ କରୁଥିଲେ । ଦୁଃଖର ବିଷୟ ଜିଲ୍ଲାପାଳଙ୍କ ଏହି ଡ୍ରିମ ପାର୍କ ଭାଙ୍ଗି ପରିତ୍ୟକ୍ତ ସ୍ଥାନର ରୂପ ନେଇଛି । ଅନାବନା କଣ୍ଟା ଗଛରେ ଭରି ଯାଇଛି ପାର୍କ । ପାର୍କରେ ଲାଗିଥିବା ଷ୍ଟାଇଲ ପଥର ଗୁଡିକ ନଷ୍ଟ ହୋଇ ପଡିଛି । ଦିନେ ପାର୍କକୁ ଦେଖି ଗୁଣଗାନ କରୁଥିବା ଲୋକ ଏବେ ମୁହଁ ମୋଡୁଛନ୍ତି । ତେବେ ଏହି ଅବସ୍ଥାର ମୁଖ୍ୟ କାରଣ ହେଉଛି ରକ୍ଷଣା ବେକ୍ଷଣରେ ଅନିୟମିତତା । ପାର୍କକୁ କେବଳ ଗଢ଼ିଦେଲେ ହେବ ନାହିଁ । ସେଥିରେ ଥିବା ଆସବା ପତ୍ର ସାଙ୍ଗକୁ ଲାଗିଥିବା ଗଛର ଯତ୍ନ ନେବା ମଧ୍ୟ ସେତିକି ଆବଶ୍ୟକ । କିନ୍ତୁ ସରକାରଙ୍କ ଅବହେଳା କାରଣରୁ ପାର୍କର ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ଆସିଛି ।