ନୂଆପଡ଼ା: ସ୍ବାଧୀନତାକୁ ୭୫ ବର୍ଷ ପୂରିଛି । ବିକାଶ କ୍ଷେତ୍ରରେ ବାଃ ବାଃ ନେଉଛନ୍ତି ସରକାର । ହେଲେ ତୃଣମୂଳସ୍ତରରେ ବିକାଶର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି । ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହାହେଲେ ୮୦ ବର୍ଷୀୟ ବୃଦ୍ଧା । ନୂଆପଡା ଜିଲ୍ଲା ବ୍ରାହ୍ମଣ ପଡା ଗାଁରେ ସ୍ବାସ୍ଥ୍ୟସେବାର ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ।
ବ୍ରାହ୍ମଣ ପଡା ଗ୍ରାମର 80 ବର୍ଷୀୟା ବୃଦ୍ଧା ସପୁରୀ ମାଝୀ ବାତ ରୋଗରେ ପୀଡିତ । ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ 108 ଆମ୍ବୁଲାନ୍ସକୁ ସମ୍ପର୍କୀୟ ଫୋନ କରିଥିଲେ । କିଛି ସମୟ ପରେ ଆମ୍ବୁଲାନ୍ସ ଆସି ବେଳରୁଣୀ ପଡା ଠାରୁ ଦୀର୍ଘ 2 କିଲୋମିଟର ଦୂରତା ବ୍ରାହ୍ମଣ ପଡା ଠାରେ ଅଟକି ଯାଇଥିଲା । ଯାହାଫଳରେ ବୃଦ୍ଧାଙ୍କୁ ସମ୍ପର୍କୀୟ ଲୋକେ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ । ଦୀର୍ଘ 4ରୁ5 ଘଣ୍ଟା ବିଳମ୍ବରେ ଡାକ୍ତରଖାନାରେ ପହଞ୍ଚିଥିଲେ ବୃଦ୍ଧା ।