ନୂଆପଡା: କୋରୋନା ସମସ୍ତଙ୍କ ଠାରୁ ରୋଜଗାର ଛଡାଇ ନେଇଥିବା ସମୟରେ ନିଯୁକ୍ତି ଦେଇ ଚର୍ଚ୍ଚାରେ ଜଣେ ବୟସ୍କ ସରପଞ୍ଚ । ପରିଣତ ବୟସରେ ସରପଞ୍ଚଙ୍କ ମନରେ ଯୁବକର ଭାବ । ପଞ୍ଚାୟତବାସୀଙ୍କୁ କିପରି ରୋଜଗାରକ୍ଷମ କରାଇବି ଏବଂ ସମସ୍ତଙ୍କ ମୁହଁରେ ହସର ସଂଚାର ସୃଷ୍ଟି କରିବି ସେଥିପାଇଁ ଶତ ଚେଷ୍ଟିତ ଏହି ସରପଞ୍ଚ ବାବୁ ଜଣକ । ଆମେ କହୁଛୁ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନୂଆପଡା ଗ୍ରାମପଞ୍ଚାୟତ ସରପଞ୍ଚ ବିଦ୍ୟାଧର ବୋଡକିଆଙ୍କ କଥା । 600 ପ୍ରବାସୀ ଶ୍ରମିକଙ୍କୁ ଦାଦନ ଖଟିବାରୁ ମୁକ୍ତିଦେଇ ନିଜ ଗ୍ରାମରେ ନିଯୁକ୍ତି ଦେଇଛନ୍ତି ସରପଞ୍ଚ ବିଦ୍ୟାଧର ।
ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ 120 କିଲୋମିଟର ଦୂରତା ଛତିଶଗଡ଼ ସୀମାନ୍ତକୁ ଲାଗି ରହିଛି ଏହି ଉପାନ୍ତ ନୂଆପଡା ଗ୍ରାମପଞ୍ଚାୟତ । ପଞ୍ଚାୟତରେ ଛୋଟ ବଡ 8 ଟି ଗ୍ରାମ, 11 ଟି ୱାର୍ଡ ଥିବାବେଳେ ପ୍ରାୟ 3 ହଜାର ଲୋକେ ଏଠାରେ ବସବାସ କରନ୍ତି । ମାତ୍ର ଅଧିକାଂଶ ଲୋକ ଦିନ ମଜୁରିଆ ଭାବେ ଗୁଜୁରାଣ ମେଣ୍ଟାନ୍ତି । ମହାମାରୀ କାରଣରୁ ଲକଡାଉନ, ସଟଡାଉନ ସମୟରେ ହାତବାନ୍ଧି ଘରେ ବସିରହି ଚିନ୍ତାରେ ଭାଙ୍ଗି ପଡିଥିଲେ ଗାଁର 600 ଶ୍ରମିକ । ସରପଞ୍ଚ ବିଦ୍ୟାଧର ମନରେଗା ଯୋଜନାରେ ଏହି ଶ୍ରମିକମାନଙ୍କୁ ବିଭିନ୍ନ ଛୋଟବଡ କାର୍ଯ୍ୟରେ 3 ମାସ ପର୍ଯ୍ୟନ୍ତ ନିଯୁକ୍ତି ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ମନରେଗା ଯୋଜନାକୁ ସଫଳ କରିବା ପାଇଁ ସରପଞ୍ଚଙ୍କୁ ପ୍ରତ୍ୟେକ୍ଷ ଭାବରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ସହଯୋଗ କରିଛି । ଏଥିରେ ଗ୍ରାମ ପଞ୍ଚାୟତର ବିକାଶ ହେବା ସହ କାମକରି ରୋଜଗାରକ୍ଷମ ହୋଇ ପାରିଛନ୍ତି କେତକ ଶ୍ରମିକ ।