ନୂଆପଡା: ସମୁଦ୍ର ପତ୍ତନ ଠାରୁ ସାଢ଼େ 3 ହଜାର ବର୍ଗଫୁଟ ଉଚ୍ଚ ଦୁର୍ଗମ ପର୍ବତ ମାଳା ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଅଶାନ୍ତ ହୋଇପଡିଛି । ଓଡିଶା ଛାଡି ପଡୋଶୀ ଛତିଶଗଡ଼ ରାଜ୍ୟରେ ସାମିଲ ହେବା ପାଇଁ ସ୍ଥାନୀୟ ଲୋକ ନେଇଛନ୍ତି ଚରମ ନିଷ୍ପତ୍ତି । ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଶୁଦ୍ଧ ପାନୀୟଜଳ, ବିଜୁଳି ଭଳି ଏକାଧିକ ମୌଳିକ ଅଧିକାରରୁ ଏମାନଙ୍କୁ ଓଡିଶା ସରକାର ବଞ୍ଚିତ କରିଛନ୍ତି ବୋଲି ଅଭିଯୋଗ ଆସିଛି । ଏପରିକି ସମସ୍ୟାର ଲମ୍ବା ଲିଷ୍ଟ ମଧ୍ୟରେ ଶିଶୁ ମୃତ୍ୟୁହାର, ଚିକିତ୍ସା ଅଭାବରୁ ଗର୍ଭ ନଷ୍ଟ ହାର ସବୁଠୁ ଅଧିକ ଏଠାରେ । ଫଳରେ ଛତିଶଗଡ଼ ରାଜ୍ୟରେ ମିଶିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଏଠକାର ବାସିନ୍ଦା ।
ନୂଆପଡା ବଣ ପାହାଡ଼ ଘେରା ସାଢ଼େ 3 ହଜାର ବର୍ଗଫୁଟ ଉଚ୍ଚ ପାର୍ବତ ବକ୍ଷରେ ରହିଥିବା 2 ଗୋଟି ଆଦିବାସୀ ବହୁଳ ଗ୍ରାମପଂଚାୟତ ସୁନାବେଡା ଓ ସୋସେଙ୍ଗରେ ଛୋଟ ବଡ଼ 48 ଗୋଟି ଗାଁ ଅବସ୍ଥିତ । ଯେଉଁଠାରେ କି ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସମେତ ପହରିଆ କମାର, ବନବାସୀ ଲୋକେ ବାସ କରନ୍ତି । ଏହା ବିଚ୍ଛିନ୍ନାଞ୍ଚଳ ମାଓ ପ୍ରବଣ ଅଞ୍ଚଳ ହୋଇଥିବା କାରଣରୁ ସରକାରୀ ବାବୁ ଦେଖାଦିଅନ୍ତି ନାହିଁ । ଫଳରେ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଫେଲ ମାରିଥିବାବେଳେ, ଲୋକେ ଦୁର୍ଦ୍ଦିନରେ ଦିନ କାଟୁଥିବା ଅଭିଯୋଗ କରିଛନ୍ତି । ବନ ପାହାଡ଼ ଦୁର୍ଗମ ଇଲାକାରେ ଏଠିକାର ଲୋକେ କନ୍ଦ ମୂଳ ଖାଇ ଝରଣା ପାଣିରେ ଶୋଷ ମେଣ୍ଟାଇ ବଞ୍ଚିଛନ୍ତି । ସରକାର ଠାରୁ ଆରମ୍ଭ କରି ମନ୍ତ୍ରୀ ନେତା ସମସ୍ତେ ଏହି ଅଞ୍ଚଳର ବିକାଶ ପରିବର୍ତ୍ତେ ବିନାଶ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଓଡିଶା ଛାଡି ଛତିଶଗଡ଼ରେ ମିଶିବା ପାଇଁ ଏଠାକାର ଲୋକ ଏକତ୍ରିତ ହୋଇ ସଭା ସମିତି କରୁଥିବା ଦେଖାଦେଇଛି ।