ଓଡିଶା

odisha

ETV Bharat / state

ନୂଆପଡାର ନାଗବମ ଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ - ଜଳାଭିଷେକ

କାପସୀ ଗାଁର କାଉଡ଼ିଆମାନେ ନିଆରା ଢଙ୍ଗରେ ରାସ୍ତାରେ ଗଡିଗଡି ନାଗବମ ଯାତ୍ରା କରି ଶିବ ମନ୍ଦିରକୁ ଯାଇଛନ୍ତି । ଯାହାକୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : Aug 12, 2019, 5:48 PM IST

ନୂଆପଡା: ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଏଥିପାଇଁ ନୂଆପଡା ଜିଲ୍ଳାର ବିଭିନ୍ନ ଶିବ ମନ୍ଦିରରେ କାଉଡ଼ିଆଙ୍କ ଭିଡ ପରିଲକ୍ଷିତ ହୋଇଛି । ସେହିପରି କାପସୀ ଗାଁର କାଉଡ଼ିଆମାନେ ନିଆରା ଢଙ୍ଗରେ ଶିବ ମନ୍ଦିରକୁ ରାସ୍ତାରେ ଗଡିଗଡି ନାଗବମ ଯାତ୍ରା କରି ଶିବମନ୍ଦିରକୁ ଯାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଶେଷ ସୋମବାର ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଉଡ଼ିଆମାନେ ମହାଦେବଙ୍କୁ ଜଳାଭିଷେକ କରିଛନ୍ତି । ଏହା ସହିତ କାପସୀ ଗାଁର କାଉଡ଼ିଆମାନେ ଦୀର୍ଘ ଏକ କିଲୋମିଟର ଦୂର ମହାଦେବ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଗଡିଗଡି ଯାଇଛନ୍ତି । ନାଗବମ ଯାତ୍ରାରେ ଭକ୍ତମାନେ ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନର ତାଳେ ତାଳେ ରାସ୍ତାରେ ଗଡିଗଡି ମହାଦେବଙ୍କ ମନ୍ଦିର ଅଭିମୁଖେ ଯାଇଛନ୍ତି। ସ୍ଥାନେ ସ୍ଥାନେ ପରିଜନ ମାନେ ଦୁଧ, ଦୁବ, ବେଲପତ୍ର ଏବଂ ଅରୁଆ ଚାଉଳ ସିଞ୍ଚନ କରି ମାନସିକଧାରୀଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳିଛି ।

ଏଥିରେ କାଉଡ଼ିଆ ନିର୍ଜଳା ଉପବାସ ରହି ଶରୀରକୁ କଷ୍ଟ ଦେଇ ଦେବଦେବ ମହାଦେବଙ୍କ ଆଶୀର୍ବାଦ କାମନା କରିଛନ୍ତି । ଯାହାକୁ ନୂଆପଡା ଜିଲ୍ଲାରେ ନାଗବମ ଯାତ୍ରା ବୋଲି କୁହାଯାଇଥାଏ । ଶରୀରକୁ କଷ୍ଟଦେଇ ଶିବ ଆରାଧନା କରିବା ଦ୍ବାରା ମାନସିକ ପୂରଣ ହୋଇଥାଏ ବୋଲି ଅଞ୍ଚଳବାସୀଙ୍କ ବିଶ୍ବାସ ରହିଛି । ନାଗବମ ଯାତ୍ରା ଦେଖିବାକୁ ପଡୋଶୀ ରାଜ୍ୟ ଛତିଶଗଡ଼ ସମେତ ନୂଆପଡା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details