ନୂଆପଡା: ବେଆଇନ ପଥର ବ୍ଳାଷ୍ଟିଂ । ନୂଆପଡା ଜିଲ୍ଲା ଭୁଲିଆସିକୁଆଁ ଗ୍ରାମପଞ୍ଚାୟତ ନୂଆପଡାଗାଁ ପହରିଆପଡାରେ ଲୋକେ ତୀବ୍ର ବିରୋଧ କରିଛନ୍ତି । ବ୍ଳାଷ୍ଟିଂ ବେଳେ ପଥରଖଣ୍ଡ ଛିଟିକି ଘର ମୁହଁରେ ପଡୁଥିବାବେଳେ ପଥରଗୁଣ୍ଡ ଅଣନିଶ୍ଵାସୀ କରିଦେଉଛି । ଘର ମୁହଁରେ ଡିନାମାଇଟ ଦ୍ଵାରା ପଥର ବ୍ଳାଷ୍ଟିଂ ହେବା କାରଣରୁ ପିଲାଠାରୁ ବୟସ୍କ ସମସ୍ତେ ଆତଙ୍କିତ ହୋଇପଡିଛନ୍ତି । ଏହି ଲୋକମାନଙ୍କ ମୂଳଗାଁ କୋମନା ବ୍ଲକ ଲମିପାଣି ହୋଇଥିବା ବେଳେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଏମାନଙ୍କ ଘରଦ୍ଵାର ବୁଡିଯାଇଛି । ସରକାର ଏମାନଙ୍କୁ ବିସ୍ଥାପିତ କରି ଭୁଲିଆସିକୁଆଁ ଗ୍ରାମପଞ୍ଚାୟତ ନୂଆପଡା ଗାଁରେ ରହିବା ବ୍ୟବସ୍ଥା କରିଛନ୍ତି । ହେଲେ ଏଠାରେ କୌଣସି ମୌଳିକ ସୁବିଧା ନ ଥିବାବେଳେ ଡିନାମାଇଟ ବ୍ଳାଷ୍ଟିଂ ରେ ଅଣନିଶ୍ଵାସୀ ବିସ୍ଥାପିତ ।
ଜିଲ୍ଲାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ଘରଦ୍ଵାର, ଜମିବାଡି ହରାଇଥିବା ବିସ୍ଥାପିତଙ୍କ ଦୁଃଖଦୁର୍ଦ୍ଦଶା ଥମିବାର ନାଁ ନେଉନାହିଁ । ଲୋୟର ଇନ୍ଦ୍ର ପ୍ରକଳ୍ପରେ ବୁଡିଯାଇଥିବା ହିତାଧିକାରୀ ମାନେ ପୁନଃର୍ବାସ ଥଇଥାନ ନିୟମକୁ ନେଇ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଥିବାବେଳେ ଏବେ ପୁଣି ଏକ ବିସ୍ଥାପିତ ଗାଁର ସମସ୍ୟା ସାମନାକୁ ଆସିଛି । କୋମନା ବ୍ଲକ ଲମିପାଣି ଗାଁର ପହରିଆ ସମ୍ପ୍ରଦାୟର 17 ଗୋଟି ପରିବାରକୁ ଖଡିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମପଞ୍ଚାୟତ ନୂଆପଡାଗାଁ ପହରିଆପଡାକୁ ସରକାର ବିସ୍ଥାପିତ କରିଛନ୍ତି । ହେଲେ ସେଠାରେ ଗାଁର ଡାହାଣ ଏବଂ ବାମ ଦୁଇ ପାର୍ଶରେ ପଥର କୁଆଁରି ଏବଂ କ୍ରସର ରହିଛି । ପଥର କୁଆଁରୀରେ ଦିବା ରାତ୍ର ଡିନାମାଇଟ ବ୍ଳାଷ୍ଟିଂ ହେଉଥିବାବେଳେ କ୍ରସରର ପଥର ଗୁଣ୍ଡ ଉଡିଆସି ଖାଇବା ପିଇବା ପଦାର୍ଥରେ ପଡୁଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ପଥର କୁଆଁରି ଏବଂ କ୍ରସର ବନ୍ଦ କରିବା ପାଇଁ ପହରିଆପଡା ଲୋକେ ଦାବି କରିଛନ୍ତି ।