ନୂଆପଡା: ଜ଼ିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗାଁରେ ପୁଣି ଦାଦନ ଶ୍ରମିକର କରୁଣ ଦୁଃଖ ସାମ୍ନାକୁ ଆସିଛି । କୋକିଳ ସୁନାନୀ ନାମକ ଦାଦନ ଶ୍ରମିକ ସୁଦୂର ହାଇଦ୍ରାବାଦ ଇଟାଭାଟିରୁ ଆଜକୁ 10ମାସ ହେବ ନିଖୋଜ ଥିବା ଅଭିଯୋଗ । ଆମ ଇଟିଭି ଭାରତ କ୍ୟାମେରା ସମ୍ମୁଖରେ ଅଭିଯୋଗ କରିଛନ୍ତି ନିଖୋଜ ଶ୍ରମିକଙ୍କ ବୃଦ୍ଧା ମାଆ ଓ ଭାଇ ।
ସୂଚନାମତେ, ରାଣୀମୁଣ୍ଡା ଗାଁର ଶ୍ରମିକ ଦଲାଲ ପାଇକନି ହିଆଲ ସ୍ୱାମୀ ତୁଲାରମ ହିଆଲ ଟଙ୍କାର ପ୍ରଲୋଭନ ଦେଖାଇ ବର୍ଷବର୍ଷ ଧରି ଶ୍ରମିକ ଚାଲାଣ ବେଉଷା କରେ । 2019 ମସିହା ଅକ୍ଟୋବର ମାସରେ ଅଗ୍ରୀମ ଟଙ୍କା ଦେଇ ରାଣୀମୁଣ୍ଡା ଗାଁର ଦାଦନ ଶ୍ରମିକ ଫକୀର ହିଆଲ,ସାବେଶ ହିଆଲ,ମାଧବୀ ହିଆଲ ଏବଂ କୋକିଳ ସୁନାନୀଙ୍କୁ ହାଇଦ୍ରାବାଦ ଚାଲାଣ କରିଥିଲା ଶ୍ରମିକ ଦଲାଲ ପାଇକନି ହିଆଲ । ଶ୍ରମିକ ମୁଖ୍ୟ ଫକୀର ହିଆଲଙ୍କ ଦାୟିତ୍ବରେ ସମସ୍ତ ଶ୍ରମିକ ହାଇଦ୍ରାବାଦ ସିକିନ୍ଦରାବାଦ ଇଟା ଭାଟିରେ କାମ କରୁଥିଲେ ।