ନୂଆପଡା: ଜିଲ୍ଲାରେ ଦାଦନ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା ଥମିବାର ନାଁ ନେଉନି । ଦିନକୁ ଦିନ ଦାଦନ ସମସ୍ୟା ସାଙ୍ଘାତିକ ରୂପ ନେଉଛି । ରାଜ୍ୟ ବାହାରେ କେବେ ବନ୍ଧା ପଡୁଛି ତ ଆଉ କେବେ ଅକଥନୀୟ ନିର୍ଯାତନା ଶିକାର ହେଉଛି ଦାଦନ ଶ୍ରମିକଟିଏ । ଆଖିରେ ଆଖିଏ ସ୍ବପ୍ନ ନେଇ ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ । ଭାବିଥିଲେ ଦି ପଇସା ରୋଜଗାର କରି ରୋଗୀଣା ସ୍ବାମୀଙ୍କୁ ସୁସ୍ଥ କରିବି ଆଉ ସାତ ପ୍ରାଣୀଙ୍କ ପେଟକୁ ଆହାର ଯୋଗାଇବେ । ହେଲେ ସହିପାରିଲାନି ଦଇବ । ଅର୍ଥାଭାବରୁ ନା ହୋଇପାରିଲା ସ୍ବାମୀଙ୍କ ଚିକିତ୍ସା ନା ଦି ଓଳି ଦାନା ଯୋଗାଡ ହୋଇପାରିଲା । ଫଳରେ ରୋଗଶଯ୍ୟାରେ ଚାଲିଗଲା ସ୍ବାମୀଙ୍କ ଜୀବନ । ଏଭଳି ଏକ ଦାଦନ ଦୁଃଖର କରୁଣ କାହାଣୀ ସାମ୍ନାକୁ ଆସିଛି ନୂଆପଡା ଜ଼ିଲ୍ଲା ରୋକାଲ ଘାଟି ନିକଟସ୍ଥ ସର୍ଗିଗୁଡା ଗ୍ରାମରୁ ।
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବଣ ପାହାଡ଼ଘେରା ରୋକାଲ ଘାଟି ନିକଟସ୍ଥ ସର୍ଗିଗୁଡା ଗାଁ । ଗାଁରେ ଶାରୀରିକ ଅସୁସ୍ଥ ଜଗତରାମ ଜଗତ ସ୍ତ୍ରୀ କୈକେଇ ଜଗତ ପାଞ୍ଚ ନାବାଳକ ସନ୍ତାନ କୁନେଇ ଦୁଃଖ କଷ୍ଟରେ ତେଲଲୁଣର ସଂସାର କରି ଚଳୁଥିଲେ । ଅଜଣା ରୋଗରେ ସ୍ୱାମୀ ପୀଡିତ ଥିବାବେଳେ, ଚିକିତ୍ସା ଖର୍ଚ୍ଚ ବହନ କରିବାପାଇଁ ସ୍ୱାମୀଙ୍କୁ ଗାଁରେ ଛାଡି ପାଞ୍ଚ ଜଣ ନାବାଳକ ସନ୍ତାନକୁ ଧରି ସ୍ତ୍ରୀ କୈକେଇ ହାଇଦ୍ରାବାଦ ସ୍ଥିତ କରିମ ନଗର ଇଟାଭାଟିରେ ଦାଦନ ଖଟୁଥିଲେ । ଏହାପରେ ହଠାତ ଭୁଶୁଡି ପଡିଲା ଦୁଃଖର ପାହାଡ଼ । ରୋଗୀଣା ସ୍ୱାମୀ ଗାଁରେ ଚିକିତ୍ସା ଅଭାବ ସହ ଖାଇବାକୁ ନପାଇ ଶୋଚନୀୟ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ରୋଗୀଣା ସ୍ୱାମୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଖବର ଶୁଣି ଫେରି ଆସିଲେ ନିଜ ଗାଁକୁ ।