ନୂଆପଡା: ଶିକୁଳିରେ ବନ୍ଧା ଜୀବନ । ଦୀର୍ଘ 9 ବର୍ଷ ହେବ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଲୁହାଶିକୁଳିରେ ବନ୍ଧା ହୋଇରହିଛନ୍ତି ଯୁବକ । ଘଟଣା ହେଉଛି ଛତିଶଗଡ ସୀମାନ୍ତ ନୂଆପଡା ଜିଲ୍ଲା ଝାରବନ୍ଧ ଗାଁର । ଗାଁର ପୀତାମ୍ବର ମାଝିଙ୍କ ପୁଅ ଟୁନୁରାମ ମାଝୀ 9 ବର୍ଷ ହେବ ଶିକୁଳିରେ ବନ୍ଧା ହୋଇଛନ୍ତି ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା
ସ୍ତ୍ରୀ ଗୋମତି ମାଝି, ଦୁଇ ଝିଅ ଓ 22 ବର୍ଷିୟ ମାନସିକ ବିକୃତ ପୁଅକୁ ନେଇ ପୀତାମ୍ବରଙ୍କ ସଂସାର । ମାତ୍ର ଭେଣ୍ଡିଆ ପୁଅର ରୋଗ ଏବେ ତାଙ୍କ ଅଭାବୀ ସଂସାରର ବୋଝ ଉପରେ ନଳିତାବିଡା ପରି । ଟୁନୁରାମ ଛୋଟବେଳୁ ଭଲ ପାଠ ପଢୁଥିଲେ । ହେଲେ ଭଗବାନଙ୍କର ଅନ୍ୟକିଛି ବିଚାର ଥିଲା ।
ଟୁନୁରାମ ସପ୍ତମ ଶ୍ରେଣୀ ପାଠ ପଢିବା ବେଳକୁ ମାନସିକ ବିକୃତି ରୋଗରେ ପିଡିତ ହେଲେ । ପାଠପଢା ଛାଡି ଟୁନୁରାମ ଗାଁ ଦାଣ୍ଡରେ ଘୁରି ବୁଲି ଲୋକଙ୍କୁ ଟେକାପଥର ଫୋପାଡିଲେ । ପୁଅର ଏଭଳି ଅବସ୍ଥା ଦେଖି ବାପା ପୀତାମ୍ବର ସାହୁକାରଠାରୁ ଧାର କରଜ କରି ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇଲେ । ହେଲେ ପୁଅ ଟୁନୁରାମ ଆରୋଗ୍ୟ ହେଲେ ନାହିଁ । ଶେଷରେ ହତାଶ ହୋଇ ଟୁନୁରାମକୁ ଲୁହା ଶିକୁଳୀରେ ବାନ୍ଧି ଘର ଭିତରେ ରଖିଛନ୍ତି ।
ଯଦି ସରକାର ସହାୟତା ଯୋଗାଇ ଦେଲେ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାକରି ପୁଅର ଚିକିତ୍ସା କରିପାରନ୍ତି ବୋଲି ପୀତାମ୍ବର ଆକୁଳ ନିବେଦନ କରିଛନ୍ତି । ‘ଇଟିଭି ଭାରତ’ କ୍ୟାମରା ସାମ୍ନାକୁ ଏହି କଥା ଆସିବା ପରେ ଆମେ ନିକଟସ୍ଥ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖକୁ ଯାଇଥିଲୁ । ମାତ୍ର କିଛି ବି କହିବାକୁ ମନା କରିଦେଇଥିଲେ ସେ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ