ନୂଆପଡା ଜିଲ୍ଲାର ଆତଙ୍କ ରଚି ଚାଲିଛି କଲରାପତରିଆ ବାଘର ନୂଆପଡା: ନୂଆପଡା ଜିଲ୍ଲାରେ ଆତଙ୍କ ଖେଳାଇଛି କଲରାପତରିଆ ବାଘ । କଲରାପତରିଆ ବାଘ ପାଇଁ ବିଭିନ୍ନ ବନାଞ୍ଚଳ ଅଧିନସ୍ଥ ଗାଁଗୁଡିକରେ କୋକୁଆ ଭୟ ସୃଷ୍ଟି ହୋଇଛି । ସିନାପାଲି ବନାଞ୍ଚଳ ହୀରାପୁର ଗାଁଠାରୁ ଆରମ୍ଭ କରି କୋମନା, ନୂଆପଡ଼ା, ସୁନାବେଡା ବନାଞ୍ଚଳରେ ବାଘ ଆକ୍ରମଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଅକାଳରେ ଲୋକଙ୍କ ଧନଜୀବନ ଚାଲିଯାଉଛି ।
2017 ମସିହାରେ ସ୍ଥାନୀୟ ଅଞ୍ଚଳରେ ପ୍ରଥମ କରି କଲରାପତରିଆ ବାଘ ପ୍ରତ୍ୟେକ୍ଷ ଭାବରେ ତାର ଉପସ୍ଥିତି ଜାହିର କରିଥିଲା । ହଳଦୀ ଗାଁରେ ମାଆ କୋଳରେ ଶୋଇଥିବା 4 ବର୍ଷର ଶିଶୁକୁ ଝାମ୍ପି ନେଇ ଶିକାର କରିଥିଲା ବାଘ । ଘଟଣା ଘଟିବା ପରେ ବନ ବିଭାଗ ଯନ୍ତା ଲଗାଇ ବାଘକୁ ଧରି ନନ୍ଦନକାନନରେ ଛଡ଼ି ଦେଇଥିଲେ । ପରେ ସ୍ଥାନୀୟ ଲୋକମାନେ ଆଶ୍ବସ୍ତି ପାଇ ନିର୍ଭୟରେ ରହୁଥିଲେ । ତେବେ ପୁଣି ଚଳିତ ବର୍ଷ ମାସ ଆରମ୍ଭରୁ ସିନାପାଲି ବନାଞ୍ଚଳ ଅଧିନସ୍ତ ହୀରାପୁର ଗ୍ରାମରେ ପ୍ରଥମ କରି ବାଘ ଦେଖାଦେଇଥିଲା ।
ହୀରାପୁର ଗ୍ରାମର ସେନାପତି ନାମକ ଯୁବକଙ୍କୁ ଝାମ୍ପି ଆକ୍ରମଣ କରିଥିଲା ବାଘ । ଅଳ୍ପକେ ବର୍ତ୍ତି ଯାଇଥିଲେ ଯୁବକ ସେନାପତି ମାଝୀ । ଏହାର କିଛିଦିନ ବ୍ୟବଧାନରେ ଲୋଡ୍ର ଗାଁରେ ବାଘ ବୁଲୁଥିବାର ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ସେଠାରେ ଗାଈ, ଘୁଷୁରୀ, କୁକୁରକୁ ହତ୍ୟା କରିଥିଲା ବାଘ । ପରେ ସୁନାବେଡା ଅଭୟାରଣ୍ୟ ଜଳମଡେଇ ଗାଁରେ ଲୋମଟାଙ୍କୁରା ଘଟଣା ଘଟାଇଥିଲା ବାଘ । ଗାଁର ସାନମତି ବାରିକ ନାମକ ବୃଦ୍ଧାଙ୍କୁ ଝାମ୍ପି ନେଇ ହତ୍ୟା କରିଥିଲା ।
ଘଟଣା ଘଟିବା ପରେ ସୁନାବେଡା ଅଭୟାରଣ୍ୟର ଛୋଟ ବଡ଼ 53 ଖଣ୍ଡ ଗାଁରେ ଆତଙ୍କ ଖେଳିଯାଇଥିବା ବେଳେ ଘଟଣାର ୨ ଦିନ ପରେ ପୁଣି ଗୋଟିଏ ବାଛୁରୀକୁ ଝାମ୍ପି ଖାଇଥିଲା ବାଘ । ସେହିଭଳି 23 ତାରିଖ ଦିନଆମାନାରା ଗାଁରେ ଗାଈ ଗୁହାଳରେ ପଶି ବାଛୁରୀକୁ ଖାଇଥିଲା । ପୁଣି 24 ତାରିଖ ତରିଆମହୁଆଭଟା ଗାଁରେ ଗୋଟିଏ ଗାଈ ନିକଟସ୍ଥ ମହୁଲ ଗଛ ପାଖକୁ ଯାଇଥିଲା ବେଳେ ସେଠାରେ ଝାମ୍ପି ଖାଇଛି ବାଘ । ଏଭଳି କ୍ରମାଗତ ବାଘ ଆକ୍ରମଣ ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଛି । ଏ ସମ୍ପର୍କରେ ବନଖଣ୍ଡ ଅଧିକାରୀ କହିଛନ୍ତି, ଜଙ୍ଗଲ ବୃଦ୍ଧି ପାଇଛି ତେଣୁ ବାଘ ରହିବା ସ୍ୱାଭାବିକ ଅଟେ । ଅପରପକ୍ଷରେ ଲୋକଙ୍କୁ ସଚେତନ କରାଯାଉଛି ବାଘ ମୁହଁରୁ କେଉଁ ଭଳି ନିଜକୁ ରକ୍ଷା କରିବେ । ବାଘର ଗତିବିଧିକୁ ଟ୍ରାପ କ୍ୟାମେରା ଦ୍ୱାରା ଅନୁଧ୍ୟାନ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ବନଖଣ୍ଡ ଅଧିକାରୀ ।
ଇଟିଭି ଭାରତ, ନୂଆପଡା