ନୂଆପଡା: ଗାଁରେ ଆତଙ୍କ ଖେଳାଇଛି କିଡନୀ ରୋଗ । ଘରେ ଘରେ ପଡିଛନ୍ତି କିଡନୀ ରୋଗୀ । ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଗାଁରେ ଗତ ୧୫ ବର୍ଷ ମଧ୍ୟରେ ୨୦ ଜଣ କିଡନୀ ରୋଗୀଙ୍କ ମୃତ୍ୟୁ ହେଲାଣି । ଏବେ ବି ୪୦ରୁ ଊର୍ଦ୍ଧ୍ବ ଲୋକ ଚିକିତ୍ସାଧୀନ ଅଛନ୍ତି । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବଣପାହାଡ଼ ଘେରା ଅବହେଳିତ ସରଗାଦି ଗାଁରେ ଏପରି ଭାବେ କିଡନୀ ରୋଗ ଆତଙ୍କ ଖେଳାଇଛି । ରୋଗରେ ପଡି ଗାଁର ଜଣକ ପରେ ଜଣେ ରୋଜଗାରକ୍ଷମ ବ୍ୟକ୍ତିଙ୍କ ଅକାଳ ବିୟୋଗ ହେଉଛି । ରୋଜଗାରିଆ ପୁଅକୁ ହରାଇ ବେସାହାର ହୋଇପଡୁଛନ୍ତି ପରିବାର ଲୋକେ । ଯେଉଁ କାରଣରୁ ଗ୍ରାମର ଏକାଧିକ ପରିବାର ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି ।
ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ ୮୫ କିଲୋମିଟର ଦୂର ଖଡ଼ିଆଳ ବ୍ଲକରେ ସରଗାଦି ଗ୍ରାମ ଅବସ୍ଥିତ । ଗାଁରେ କିଡନୀ ରୋଗୀଙ୍କ ଲମ୍ବା ତାଲିକା ରହିଛି । ଏହି ଘାତକ ରୋଗରେ ଆକ୍ରାନ୍ତ ହୋଇ ଜଣକ ପରେ ଜଣକ ଅକାଳ ବିୟୋଗ ହୋଇଛି । ବିଗତ ବର୍ଷ ମଧ୍ୟରେ ଅନେକଙ୍କ ସୁନାର ସଂସାର ଉଜାଡି ଦେଇଛି କିଡନୀ ରୋଗ । ବିବାହିତା ମହିଳାଙ୍କ ସିନ୍ଦୁର ଲିଭି ଯାଇଛି, ଶଙ୍ଖା ଭାଙ୍ଗି ଯାଇଛି । ବୈବାହିକ ଜୀବନରେ ସ୍ୱାମୀକୁ ହରାଇ ବିଧବା ସ୍ତ୍ରୀ ଅସହାୟ ଭାବେ ଜୀବନ କାଟୁଛି । ସେହିପରି ଗାଁର ଅନେକ ରୋଗୀଙ୍କ ଚିକତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଆର୍ଥିକ ଅନଟନ ଭିତରେ ଚିକିତ୍ସା ଅଭାବରୁ ଖଟିଆରେ ପଡି ସେମାନେ ମରଣକୁ ବରଣ କରି ନେଉଛନ୍ତି ।