ନୂଆପଡ଼ା: କମିବା ବଦଳରେ ବଢ଼ୁଛି ଓଲିଉଡ୍ ବିବାଦ । ଥମିବାର ନାଁ ଧରୁନି କଳାକାର କଳି । ଆରୋପ ପ୍ରତ୍ୟାରୋପ ମଧ୍ୟରେ ତୀବ୍ର ଦେବାରେ ଲାଗିଛି ବିବାଦ । ଅଭିନେତା ତଥା ପ୍ରଯୋଜକ ମନୋଜ ମିଶ୍ରଙ୍କୁ ହୋଇଥିବା ବ୍ୟାନ ପ୍ରତ୍ୟାହାର ଏବଂ କୋଶଳୀ ଭାଷା ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟ ଫେରାଇ ନେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ । ଖଡ଼ିଆଳରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଯୋଜକ ଟୁଟୁ ନାୟକ, ଅଭିନେତା ଅରିନ୍ଦମ, ଅନୁଭବ ଏବଂ ପ୍ରଯୋଜକ ଜିତୁ ମଙ୍ଗରାଜଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଯୋଜକ ମନୋଜ ମିଶ୍ରଙ୍କୁ ବ୍ୟାନ୍ ଏବଂ କୋଶଳୀ ଭାଷାର ଅପମାନ ପ୍ରତିବାଦରେ ଶନିବାର ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଛକଠାରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ନେତୃତ୍ୱରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଅନୁଷ୍ଠାନର ନେତୃତ୍ୱରେ ସମଲେଇ ସେନା ଏବଂ କେସିଏସଏର କର୍ମକର୍ତ୍ତାମାନେ ସାମିଲ ହୋଇ ଏକ ରାଲିରେ ବାହାରି ଖଡିଆଳ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ ।
ଖଡିଆଳ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମଲେଇ ସେନା ସଭାପତି ପ୍ରଦୀପ ଡିଣ୍ଡିଆ, ବରିଷ୍ଠ କଳାକାର ପବିତ୍ର ପ୍ରଧାନ ପ୍ରମୁଖ ଉଦବୋଧନ ଦେଇ ମନୋଜ ମିଶ୍ରଙ୍କ ବ୍ୟାନ୍ ସହ କୋଶଳୀ ଭାଷାର ଅପମାନକୁ ନିନ୍ଦା କରିବା ସହ ଉପକୂଳ ଅଞ୍ଚଳର କଳାକାର ତଥା ରାଜନେତା କୋଶଳୀ ଭାଷା ପ୍ରତି ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରିବା ସହ କ୍ଷମା ପାର୍ଥନା କରିବାକୁ ଦାବି କରିଛନ୍ତି । ତେବେ କ୍ଷମା ନମାଗିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେବା ସହ ପଶ୍ଚିମ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଥିବା ଅଭିଯୋଗ କରିଥିଲେ । ଏହାସହ ଓଡ଼ିଆ ସିନେମା, ଅପେରା ଆଦିକୁ ନିଜ ଅଞ୍ଚଳରେ ବୟକଟ୍ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା । ଜଣେ ରାଜନେତା ହୋଇ କୋଶଳୀ ଭାଷା ବିରୋଧୀ ମନ୍ତବ୍ୟ ଦେଇଥିବା ଯୋଗୁଁ ଅଭିନେତା ସହ ସାଂସଦ ଅନୁଭବ ମହାନ୍ତି, ଓଡ଼ିଆ ଫିଲ୍ମ ଜଗତ ଜିତୁ ମଙ୍ଗରାଜ, ପ୍ରଯୋଜକ ଟୁଟୁ ନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।