ଓଡିଶା

odisha

ETV Bharat / state

14 ଦଫା ଦାବି କେନ୍ଦୁପତ୍ର କର୍ମଚାରୀ ସଂଘର ଆନ୍ଦୋଳନ

ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ କେନ୍ଦୁପତ୍ର କର୍ମଚାରୀ ସଂଘ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ । ଅଧିକ ପଢନ୍ତୁ

By

Published : Jun 2, 2023, 12:47 PM IST

kendu leaf pluckers association protest
kendu leaf pluckers association protest

kendu leaf pluckers association protest

ନୂଆପଡା: 14 ଦଫା ଦାବି ନେଇ ପୁଣି ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲେ କେନ୍ଦୁପତ୍ର କର୍ମଚାରୀ ସଂଘ । ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ସଂଘର କର୍ମଚାରୀ। ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆହ୍ବାନ କ୍ରମେ ଖଡ଼ିଆଳ ଡିଭିଜନ କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଗତକାଲି ହଜାର ହଜାର କେନ୍ଦୁପତ୍ର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଗତକାଲି ଜିଲ୍ଲାର 323 ଗୋଟି ଫଡ଼ିଗ୍ରାମରୁ ହଜାର ହଜାର କେନ୍ଦୁପତ୍ର ତୋଳାଳୀ ଶ୍ରମିକ , ସିଜିନାଲ ଷ୍ଟାଫ, ଚେକର, ଚପରାସି, ମୁଙ୍ଗସି ପରିବାରର ସମସ୍ତ ସଦସ୍ୟ ନୂଆପଡା ପୋଲିସ ପଡ଼ିଆ ଠାରେ ଏକତ୍ରିତ ହୋଇଥିଲେ । ସେଠାରେ ଏକ ପ୍ରତିବାଦ ସଭା ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପ୍ରତିବାଦ ସଭାକୁ ସମର୍ଥନ ଜଣାଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗଦେଇ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନୀତି ସମ୍ପର୍କରେ ଗର୍ଜିଥିଲେ । ଏଥିସହ ଆଗାମୀ ଦିନରେ କେନ୍ଦୁପତ୍ର କର୍ମଚାରୀ ସଂଘର ଏକ ପ୍ରତିନିଧି ଦଳ ନୂଆ ଦିଲ୍ଲୀ ଯାଇ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ଜଣାଇବେ ବୋଲି କହିଛନ୍ତି ।

ଆୟୋଜିତ ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପାଇକମାଲ ହେଡ ଚେକର କୋକିଳ ସାହୁ, କେନ୍ଦୁପତ୍ର କର୍ମଚାରୀ ସଂଘ ଖଡ଼ିଆଳ ଡିଭିଜନ ଉପଦେଷ୍ଟା ଭକ୍ତବନ୍ଧୁ ଧାରୁଆ, କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସମ୍ପାଦକ ଯଦୁମଣି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦୁପତ୍ର କର୍ମଚାରୀ ସଂଘ ବାରମ୍ବାର ସରକାରଙ୍କୁ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଦାବି ପତ୍ର ଦେଇ ଆସୁଛନ୍ତି । କିନ୍ତୁ ସରକାର ଏହାକୁ ଗୁରୁତ୍ୱ ଦେଉନାହାନ୍ତି । କେନ୍ଦୁପତ୍ର ତୋଳାଳୀ, ବନ୍ଧାଳି, ଶ୍ରମିକ ମାନେ ଅକାଳରେ ମୃତ୍ୟୁବରଣ କରୁଛନ୍ତି ଓ ବନ୍ୟଜନ୍ତୁର ଶିକାର ହେଉଛନ୍ତି । ସରକାର ଠିକ ସମୟରେ ସହାୟତା ଦେଉନାହାନ୍ତି । ଫଳରେ ଏମାନେ ଦୁର୍ବିସହ ଜୀବନ ବଞ୍ଚାଇଛନ୍ତି ।

ଅପରପକ୍ଷେ କେନ୍ଦୁପତ୍ର ତୋଳାଳିଙ୍କ କଠିନ ପରିଶ୍ରମ ବଳରେ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ୱ ପାଉଛନ୍ତି । ହେଲେ ଶ୍ରମିକ ମାନଙ୍କ ପ୍ରତି ସରକାରଙ୍କ ଦରଜ ନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । କେନ୍ଦୁପତ୍ର କର୍ମଚାରୀଙ୍କୁ ବୋନସ ,ଝିଅ ବାହାଘର ସହାୟତା,ସିଜିନାଲ ଷ୍ଟାଫର ଦରମା ବୃଦ୍ଧି, ଚାକିରି ସର୍ତ୍ତାବଳୀ, ସର୍ବ ନିମ୍ନ ମଜୁରୀ ବୃଦ୍ଧି କରିବା, ଶିକ୍ଷା ସହାୟତା, ଏପରି 14 ଦଫା ଦାବି ପୂରଣ ନେଇ ନୂଆପଡା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସଂଘର କର୍ମଚାରୀ । ଦୀର୍ଘ ସମୟ ବିକ୍ଷୋଭ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 14ଦଫା ଦାବିପତ୍ର ନୂଆପଡା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଦାବି ପୂରଣ ନହେଲେ ଗ୍ରାମପଞ୍ଚାୟତ ସ୍ତରରେ ଆନ୍ଦୋଳନ ଜୋରଦାର କରାଯିବା ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details