ନୂଆପଡା: ବଗିଚାରୁ ଚୋରି ହୋଇଗଲା ବିରଳ ପ୍ରଜାତିର ଆମ୍ବ । ଯାହାର ମୂଲ୍ୟ କିଲୋଗ୍ରାମ ପିଛା ରହିଛି 2 ଲକ୍ଷ 50 ହଜାର ଟଙ୍କା । ଆମ୍ୱଚୋରି ପରେ ଚିନ୍ତାରେ ଆମ୍ବ ବ୍ୟବସାୟୀ ନାରାୟଣ ଯାହାନାବାଦୀ । ଏପରି ଅଭିଯୋଗ ଆସିଛି ନୂଆପଡି ଜିଲ୍ଲା ଖରିଆର ରୋଡ଼ ଅଞ୍ଚଳରୁ । ଏହି ଖବର ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଚୋରି ହୋଇଥିବା ଆମ୍ବର ନାଁ ହେଉଛି ଜାପାନିଜ ମିୟାଜାକି ।
ଖରିଆର ରୋଡ଼ ଏନଏସି ୱାର୍ଡ ନମ୍ୱର 19 ନିବାସୀ ନାରାୟଣ ଯାହାନାବାଦୀ । ପେଶାରେ ସେ ଜଣେ ବ୍ୟବସାୟୀ । ଖରିଆର ରୋଡ଼ ଠାରେ ତାଙ୍କର ନବରତ୍ନ ଜଲେରି ନାମରେ ଏକ ଗହଣା ଦୋକାନ ରହିଛି । ଏଥିସହ ସେ ଆମ୍ବ ଚାଷ ମଧ୍ୟ କରନ୍ତି । ନୂଆପଡା ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ନରା ଗ୍ରାମ ଠାରେ ତାଙ୍କର 3 ଏକର ଜମି ବିଶିଷ୍ଟ ଆମ୍ବ ବଗିଚା ରହିଛି । ବଗିଚାର ନାମ ଶ୍ରୀରାମ ଫୁଲବାରି। ଏହି ବଗିଚାରେ 38 ପ୍ରକାରର ଆମ୍ବଗଛ ଲାଗିଥିବାବେଳେ, ବର୍ଷକୁ ଲକ୍ଷ ଲକ୍ଷ ଟଙ୍କାର ଆମ୍ବ ବିକ୍ରିକରି ଲାଭବାନ ହୋଇଥାନ୍ତି ମାଲିକ ନାରାୟଣ ଯାହାନାବାଦୀ ।
ତେବେ ବଗିଚାରେ ବିରଳ ପ୍ରଜାତିର ଆମ୍ବ ଗଛ ଜାପାନୀ ମିୟାଜାକି ମଧ୍ୟ ରହିଛି । ଏହି ପ୍ରଜାତିର 8 ଗୋଟି ଆମ୍ବ ଗଛ ଲାଗିଛି । ଗଛରେ ଆମ୍ବ ଫଳ ମଧ୍ୟ ଫଳିଥିଲା । ଜାପାନୀ ମିୟାଜାକି ଆମ୍ବ ମୂଲ୍ୟବାନ ବୋଲି ନାରାୟଣ ପୂର୍ବରୁ ଜାଣିନଥିଲେ । ସାଧାରଣ ଆମ୍ବଗଛ ପରି ଲଗାଇ ପ୍ରତିବର୍ଷ ଆମ୍ବ ବିକ୍ରି କରୁଥିଲେ । କିଛି ଦିନ ପୂର୍ବରୁ ଛତିଶଗଡ଼ ଜବଦଲପୁର ଅଞ୍ଚଳର ଜଣେ ବ୍ୟକ୍ତି ଜାପାନୀଜ ମିୟାଜାକି ମୂଲ୍ୟବାନ ଅଟେ ବୋଲି ନାରାୟଣଙ୍କୁ କହିଥିଲେ । ଯାହାର ମୂଲ୍ୟ କିଲୋ ପ୍ରତି 2 ଲକ୍ଷ 50 ହଜାର ଟଙ୍କା ବୋଲି ସେ ଜାଣିବାକୁ ପାଇଥିଲେ ।