ନୂଆପଡା: ଜିଲ୍ଲାର ସଦର ମହୁକମା ଠାରୁ 115 କିଲୋମିଟର ଦୂର ଛତିଶଗଡ଼ ସୀମାନ୍ତରେ ରହିଛି ଧୁଙ୍ଗିଆମୁଣ୍ଡା ଗାଁ । ଏହି ଗାଁରେ ବସବାସ କରୁଛନ୍ତି ମୃତ ଦାଦନ ଶ୍ରମିକ ଜଗସନ ହଂସଙ୍କ ପରିବାର । ଏବେ ପରିବାରରେ ସ୍ତ୍ରୀ ପଦ୍ମିନୀ ହଂସ ଓ 2 ନାବାଳକ ପୁଅ ଅଛନ୍ତି । ପଦ୍ମିନୀ ବାତ ରୋଗରେ ପୀଡିତ ଥିବାବେଳେ ତାଙ୍କ 2 ପୁଅ ସିକାଳସାଇ ରୋଗରେ ପୀଡିତ । ଜୀବନ ମରଣ ସହ ସଂଗ୍ରାମ କରୁଥିବା ଏହି ଦୁଃଖୀ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ ଜଗସନ ହଂସ । ହେଲେ ତାଙ୍କର ଅକାଳ ବିୟୋଗ ଏବେ ସାରା ପରିବାରକୁ ଅସହାୟ କରିଦେଇଛି ।
ସୂଚନାନୁସାରେ, ଦୁଇ ପଇସା ରୋଜଗାର କରି ସ୍ତ୍ରୀ ଓ ପିଲାମାନଙ୍କ ପେଟରେ ଆହାର ଯୋଗାଇବାକୁ ଏବଂ ଚିକିତ୍ସା ଖର୍ଚ୍ଚ ସନ୍ଧାନରେ ସୁଦୂର ଚେନ୍ନାଇ ଯାଇଥିଲେ ସେ । ହେଲେ ଦଇବର ଇସାରା ଥିଲା କିଛି ଅଲଗା । ଜଗସନଙ୍କ ପାଇଁ କାଳ ସାଜିଲା ଚେନ୍ନାଇ । ରାମନାଥପୁରମ ବସନ୍ତ କଷ୍ଟ୍ରକ୍ସନ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିବା ଜଗସନ ଗତ ଅପ୍ରେଲ ମାସ 25 ତାରିଖ ଦିନ 6 ମହଲା କୋଠାରେ ଲାଗିଥିବା ଲିଫ୍ଟରୁ ଖସିପଡି ମୃତ୍ୟୁବରଣ କରିଥିଲେ । ଏପଟେ ଗାଁରେ ତାଙ୍କ ଉପରେ ଭରସା କରି ଚଳୁଥିବା ସ୍ତ୍ରୀ ଓ 2 ପୁଅଙ୍କ ପେଟରେ 2 ଓଳି 2 ମୁଠା ଖାଇବାକୁ ନା ଅଛି ଅନ୍ନ ନା ଚିକିତ୍ସା ପାଇଁ ଅର୍ଥ । କେବଳ ଅପେକ୍ଷା ଅଛି ତ ସରକାରୀ ସହାୟତାକୁ ।