ନୂଆପଡା: ସାରା ରାଜ୍ୟରେ ଲାଗିରହିଛି ଶୀତ ଲହରୀ । ଦିନକୁ ଦିନ ପ୍ରବଳ ଶୀତ ଯୋଗୁଁ ପାରଦ ଖସିବାରେ ଲାଗିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଡଭଙ୍ଗା ଶୀତ ସହ କାକରର ପ୍ରଭାବ ବେଶ ଅନୁଭୁତ ହେଉଛି । ଗତ କିଛି ଦିନ ହେବ ନୂଆପଡା ଜିଲ୍ଲା ବ୍ୟାପି ଶୀତର ଲହରୀ ଲାଗି ରହିଛି । ହାଡ଼ଭଙ୍ଗା ଶୀତ କାକରରେ ଗାଁ ଠାରୁ ସହର ସବୁଠାରେ ଉମ୍ଭେଇ ଜାଳି ନିଆଁର ଆଶ୍ରୟ ନେଉଛନ୍ତି ସ୍ଥାନୀୟ ଲୋକେ । ଚତୁଃପାର୍ଶ୍ବ କଅଁଳିଆ ଗଛପତ୍ରରେ ଶିଶିର ଆଚ୍ଛାଦିତ ହୋଇଛି । ଶୀତ କାକରରେ ଧରା ପୃଷ୍ଠ ଅସହ୍ୟହୋଇ ଘନ କୁହୁଡ଼ିର ଧଳା ଚାଦରରେ ଘୋଡେଇ ହୋଇଛି ।
ସାଧାରଣତଃ ପୌଷ ଓ ମାଘ ଦୁଇମାସ ଦେଶବ୍ୟାପୀ ଶୀତର ଲହରୀ ଲାଗି ରହିଥାଏ । ଏହି କ୍ରମରେ ଗତ କିଛିଦିନହେବ ନୂଆପଡା ଜିଲ୍ଲା ଖଡ଼ିଆଳ, କୋମନା, ନୂଆପଡା, ବୋଡେ଼ନ, ସିନାପାଲି ବ୍ଲକ ଅଞ୍ଚଳରେ ମଧ୍ୟ ଘନ କୁହୁଡି ସାଙ୍ଗକୁ ହାଡ଼ଭଙ୍ଗା ଶୀତ ଲାଗିରହିଛି । ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହିତ ହୋଇ ହାତ ଗୋଡ଼ ଥରେଇ ଦେଉଛି । ନଦୀ ପୁଷ୍କରିଣୀ ଗୁଡିକରେ ଧୂଆଁ ପରି ଥଣ୍ଡାବାଷ୍ପ ଦେଖାଦେଇଛି । ଶୀତ ରୁ ତ୍ରାହି ପାଇବା ପାଇଁ ଯୁବକ ଯୁବତୀମାନେ ପ୍ରାତଃ ଭ୍ରମଣ କରୁଥିବା ଦେଖାଦେଇଛି । ସହରର ଚା ଦୋକାନରେ ଚା ଖଟି ଲାଗି ରହିଛି । ଛୋଟ ଛୋଟ ଗାଁ ବ୍ୟବସାୟୀ ମାନେ ଗରମ ପୋଷକ ଘୋଡେଇ ହୋଇ ବହୁକଷ୍ଟରେ ଯାଉଥିବା ପ୍ରକାଶ କରିଛନ୍ତି । ଧନୀ ଶ୍ରେଣୀର ଲୋକମାନେ ଗରମ ପୌଷକ ଘୋଡେଇ ହୋଇ ଶୀତର ମଜା ନେଉଥିବାବେଳେ, ଗରିବ ଶ୍ରେଣୀର ଲୋକମାନେ ଉମ୍ଭେଇ ଜାଳି ନିଆଁର ଆଶ୍ରୟ ନେଉଛନ୍ତି । ହେଲେ ଚଷା ପୁଅ କୁ ଶୀତ ଖାତିରି ନାହିଁ,ହଲ ନଙ୍ଗଳ ଧରି ଚାଲିଛି ବାଟ ।