ଓଡିଶା

odisha

ETV Bharat / state

ଆହାର ଉପରେ ଲଘୁଚାପ ବର୍ଷା ପାହାର, କ୍ଷେତରେ ଶୋଇଯାଇଛି ସୁନାର ଫସଲ - ଲଘୁଚାପ ବର୍ଷାର ତାଣ୍ଡବ

ବର୍ଷା ଓ ପବନ ମାଡରେ କ୍ଷେତରେ ଉଜୁଡିଯାଇଛି ସୁନାର ଫସଲ । ସେପଟେ ଋଣ ପରିଶୋଧ ପାଇଁ ଅର୍ଥ ବୋଝ ସହ ବର୍ଷକର ପ୍ରତିପୋଷଣ ଚିନ୍ତାରେ ହାତ ଟେକିଦେଇଛନ୍ତି ନୂଆପଡାରେ ଅନେକ ଅନ୍ନଦାତା । ଅଧିକ ପଢନ୍ତୁ..

ଆହାର ଉପରେ ଲଘୁଚାପ ବର୍ଷାର ପାହାର,   କ୍ଷେତରେ ଶୋଇଯାଇଛି ସୁନାର ଫସଲ
ଆହାର ଉପରେ ଲଘୁଚାପ ବର୍ଷାର ପାହାର, କ୍ଷେତରେ ଶୋଇଯାଇଛି ସୁନାର ଫସଲ

By

Published : Oct 18, 2020, 2:41 PM IST

ନୂଆପଡା: ବଢିଲା ଚାଷୀ ଯନ୍ତ୍ରଣା । ଦାଉ ସାଜିଛି ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ପବନ। ଧାନ କିଆରୀରେ ଧାନ ଫସଲ ଶୋଇଯାଇଥିବା ବେଳେ, ପାଣିରେ ଭିଜି ଧାନ ଗଜା ହୋଇଯାଇଛି। ପ୍ରକୃତିର ତାଣ୍ଡବରେ ଧାନ ଫସଲ ଉଜୁଡି ଯାଇ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ ହୋଇଛି। ଏ ନେଇ ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ କରିବା ପାଇଁ ଇଟିଭି ଭାରତ ଟିମ ପହଞ୍ଚିଛି ନୂଆପଡା ଖଡ଼ିଆଳ ବ୍ଲକ ସୁନାରୀସିକୁଆ ଗାଁରେ ।

ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଓ ପ୍ରଖର ପବନ ନୂଆପଡା ଜିଲ୍ଲାର ଚାଷୀ କୁଳକୁ ଦାଉ ସାଜିଛି। ନୂଆପଡା, କୋମନା, ବୋଡେ଼ନ, ସିନାପାଲି, ଖଡ଼ିଆଳ ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ ମାତ୍ରାରେ ଫସଲ ନଷ୍ଟ ହୋଇଛି। ଧାନ ପାଚି ଅମଳ ସମୟରେ ବର୍ଷା ପବନ ହେବା କାରଣରୁ ବ୍ୟାପକ ନଷ୍ଟ ହୋଇଛି ଫସଲ । ଛୋଟ କିସମର ପାଚିଲା ଧାନ ଗୁଡିକ ବହୁ ମାତ୍ରାରେ କ୍ଷତି ହୋଇଛି। ସେହିଭଳି ବଡ କିସମର ଧାନ କେଣ୍ଡା ବାହାରିଥିବା ସମୟରେ ବର୍ଷା ପବନ ମାଡ ଖାଇ ଚାଷ ଜମିରେ ଶୋଇଯାଇଛି। ବିଶେଷ କରି ଖଡ଼ିଆଳ ବ୍ଲକର ସୁନାରିସୀକୁଆ, ନେହେନା, ଚନାବେଡ଼ା, ତୁକୁଳା, ବରଗାଁ ଅଞ୍ଚଳ ଚାଷୀଙ୍କ ଚାଷ ବହୁମାତ୍ରାରେ କ୍ଷତି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।

ଆହାର ଉପରେ ଲଘୁଚାପ ବର୍ଷାର ପାହାର, କ୍ଷେତରେ ଶୋଇଯାଇଛି ସୁନାର ଫସଲ

ଚଳିତ ବର୍ଷ ଚଷା ପୁଅ ଠିକ ସମୟରେ ଚାଷ ଜମି ପ୍ରସ୍ତୁତ କରି ଧାନ ବୁଣା ରୁଆ ବେଉଷଣ କରିଥିଲା। ଚାଷ ଉପଯୋଗୀ ଭଲ ବର୍ଷା ମଧ୍ୟ ହେଲା । ରାସାୟନିକ ସାର କୀଟନାଶକ ପ୍ରୟୋଗ କରି ଚାଷୀ କ୍ଷେତରେ ସୁନା ଫସଲ ଫଳାଇଥିଲା। ଫଳରେ ଚଳିତ ଖରିଫ ବର୍ଷରେ ମଣ୍ଡିରେ ଧାନ ବିକ୍ରି କରି ଲାଭ ପାଇବା ଆଶା ବାନ୍ଧିଥିଲା ଚାଷୀ। ହେଲେ ଧାନ ଫସଲ ଅମଳ ସମୟରେ ପ୍ରକୃତିର ତାଣ୍ଡବରେ ବେହାଲ ଚାଷୀ।

ଧାନ ଫସଲ ଉଜୁଡି ଯାଇଥିବାରୁ ଚିନ୍ତାରେ ଭାଙ୍ଗିପଡିଛନ୍ତି ଚାଷୀ କୂଳ। ଧାର କରଜ, ବ୍ୟାଙ୍କ ଋଣ କରି ଚାଷ କରିଥିବା ଚାଷୀ,ଏବେ ଋଣ ପରିଶୋଧ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ। ଏବେ କେବଳ ସରକାରଙ୍କ ଫସଲ କ୍ଷୟ କ୍ଷତି ସହାୟତାକୁ ଚାତକ ପକ୍ଷୀ ପରି ଚାହିଁ ବସିଛି ଅନ୍ନଦାତା । ଅପରପକ୍ଷେ ବର୍ଷା ଓ ପବନ କାରଣରୁ ଧାନ ଫସଲ ପାଣିରେ ଭିଜି ନଷ୍ଟ ହୋଇଥିବା ଖଡ଼ିଆଳ ଅତିରିକ୍ତ ତହସିଲଦାର ସ୍ବୀକାର କରିଛନ୍ତି। ତେବେ ଏ ନେଇ ଜିଲ୍ଲା କୃଷି ଅଧିକାରୀ ଏବଂ ରାଜସ୍ବ ବିଭାଗ ମିଳିତ ତଦନ୍ତ ଚାଲିଛି, ଆଗକୁ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details