ନୂଆପଡା: ଜିଲ୍ଲାର କୋମନା ବ୍ଲକ ସ୍ଥିତ ଅବହେଳିତ ଆଦିବାସୀ ବହୁଳ ଝିକିଡୁଙ୍ଗୁରୀ ଗାଁ ଲୋକଙ୍କୁ ଦାଉ ସାଧୁଛି ଫ୍ଲୋରାଇଟ ଯୁକ୍ତ ବିଷାକ୍ତ ପାଣି । ବିଷାକ୍ତ ପାଣି ସେବନ କରି 2017 ମସିହାରୁ 2019 ପର୍ଯ୍ୟନ୍ତ ବିଗତ 3ବର୍ଷ ମଧ୍ୟରେ 12 ଜଣ ମହିଳା ପୁରୁଷଙ୍କ ଅକାଳରେ ମୃତ୍ୟୁ ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ସରକାର ତୁରନ୍ତ ଝିକିଡ଼ୁଙ୍ଗୁରୀ ଗାଁ ପ୍ରତି ଦୃଷ୍ଟିଦେଇ ବିଷୁଦ୍ଧ ପାନୀୟ ଜଳ ଯୋଗାଇଦେବା ଜରୁରୀ ହୋଇପଡିଛି ।
ଝିକିଡୁଙ୍ଗୁରୀ ଗାଁକୁ ଦାଉ ସାଧୁଛି ମାତ୍ରାଧିକ ଫ୍ଲୋରାଇଡ ମିଶ୍ରିତ ବିଷାକ୍ତ ପାଣି । ବିଗତ 3 ବର୍ଷ ମଧ୍ୟରେ ଗାଁର ଗହଟିଆ ମାଝୀ, ଭାସ୍କର ମାଝୀ, ହେମ ମାଝୀ, ରୂପ ସିଂ ମାଝୀ, ଚମରୁ ମାଝୀ, ହୋମ ମାଝୀ ଭଳି 12 ଜଣ ବ୍ୟକ୍ତିଙ୍କ ଅକାଳରେ ଜୀବନ ଯାଇଛି । ବିଷାକ୍ତ ପାଣି ପିଇବା ପରେ ପ୍ରଥମେ ଦାନ୍ତ ମାଢି କଳା ପଡିଯାଏ ଆଉ ତା ପରେ ଅଣ୍ଟା ଗଣ୍ଠି ଦରଜ ହୋଇ ଅକର୍ମଣ୍ୟ ହୋଇ ଯାଆନ୍ତି ଲୋକେ । କମ ବୟସରେ ବୟସ୍କ ହୋଇ ଶେଷରେ ମୃତ୍ୟୁକୁ ଆଦରି ନିଅନ୍ତି ଝିକିଡ଼ୁଙ୍ଗୁରୀବାସୀ ।