ନୂଆପଡା: ଚକ୍ରି ବାଣ ଫୁଟି ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରିକାଲ ଦୋକାନ । ଆଖି ପିଛୁଳାକେ ପୋଡି ପାଉଁଶ ପାଲଟିଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଦିନ କେଇଟା ପରେ ଦୀପାବଳି । ଦିଲ୍ଲୀରୁ ପଲ୍ଲୀ ସବୁଠି ମହାଆଡମ୍ବରରେ ଆଲୋକର ପର୍ବ ପାଳନ ହେବ । ଦୀପାବଳି ପାଇଁ ଚାରିଆଡେ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ନୂଆପଡ଼ା ଜିଲ୍ଲାର ଖଡିଆଳ ସହରରେ ଗତକାଲି (ବୁଧବାର) ରାତିରେ ଏଭଳି ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଚକ୍ରି ବାଣ ଫୁଟି ଗୋଟିଏ ଇଲେକ୍ଟ୍ରିକ ଦୋକାନରେ ନିଆଁ ଲାଗିଯାଇଛି । ଏଥିରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଏହା ମଧ୍ୟ ପଢନ୍ତୁ : ସଟ୍ ସର୍କିଟରୁ ଅଗ୍ନିକାଣ୍ଡ, ଜଣେ ଜୀବନ୍ତ ଦଗ୍ଧ ୨ ଗୁରୁତର
ସୂଚନା ଯୋଗ୍ୟ ଯେ, ଖଡ଼ିଆଳ ସହର ସ୍ଥିତ ମାଛ ବଜାର ନିକଟରେ ରହିଛି ତିରୁପତି ଇଲେକ୍ଟ୍ରିକାଲ ଦୋକାନ । ଦୋକାନ ପଛପଟ କଲୋନୀରେ କିଛି ଲୋକ ଭଡାଘରେ ରହି ଆସୁଛନ୍ତି । ସେଠାରେ ରହୁଥିବା କିଛି ଛୋଟ ପିଲା କାଲି ସନ୍ଧ୍ୟାରେ ଚକ୍ରି ବାଣ ଫୁଟାଉଥିଲେ । ବାଣର ନିଆଁ ଯାଇ ଇଲେକ୍ଟ୍ରିକାଲ ଦୋକାନରେ ପଡ଼ିଥିଲା । ଯାହାଫଳରେ କେହି କିଛି ବୁଝିବା ପୂର୍ବରୁ ନିମିଷେକ ମଧ୍ୟରେ ପୁରା ଦୋକାନରେ ନିଆଁ ବ୍ୟାପି ଯାଇଥିଲା । ଏହା ଦେଖି ଦୋକାନ ମାଲିକ ନନ୍ଦଲାଲ ଅଗ୍ରୱାଲ ସଙ୍ଗେ ସଙ୍ଗେ ଖଡ଼ିଆଳ ଅଗ୍ନିଶମ ବାହିନୀକୁ ଫୋନ୍ କରି ଡକାଇ ଥିଲେ । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳକୁ ଦୋକାନରେ ଥିବା ଲକ୍ଷାଧିକ ମୂଲ୍ୟର ଇଲେକ୍ଟ୍ରିକାଲ ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଥିଲା ।