ନୂଆପଡା: ଜିଲ୍ଲାରେ ଥମୁନି ବାଘ ଆତଙ୍କ । ମଣିଷ ମାରୁଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଗାଇ ବାଛୁରୀକୁ ମାରିଥିବା ଅଭିଯୋଗ ହୋଇଛି । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ କଲରାପତରିଆ ବାଘ ଗାଈ ବାଛୁରୀକୁ ଝାମ୍ପି ମାରିଦେଇଥିବା ଅଭିଯୋଗ ହୋଇଛି । ଜଳମଡେଇ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ବାଘ ଏଭଳି ବାରମ୍ବାର କାଣ୍ଡ ଘଟାଇ ଚାଲିଥିବାବେଳେ ସୁନାବେଡା ଅଭୟାରଣ୍ୟ ଲୋକେ ବାଘ ଭୟରେ ଆତଙ୍କିତ ହୋଇପଡିଛନ୍ତି ।
ଅପରପକ୍ଷେ ଲୋକଙ୍କୁ ମଣିଷ ଖିଆ କଲରାପତରିଆ ବାଘ ମୁହଁରୁ ସୁରକ୍ଷା ଯୋଗାଇ ଦେବାପାଇଁ ସୁନାବେଡା ବନ୍ୟପ୍ରାଣୀ ବିଭାଗ ବନଖଣ୍ଡ ଅଧିକାର୍କ ନିର୍ଦ୍ଦେଶ କ୍ରମେ ବିଭାଗ ତରଫରୁ ଜଳମଡେଇ ଗାଁରେ ବନ ବିଭାଗର ଏକ ଟିମ୍ ଡେରା ପକାଇଛି । ବାଘ ମୁହଁରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ବିଭିନ୍ନ କୌଶଳ ଅବଳମ୍ବନ କରି ଆପ୍ରାଣ ଉଦ୍ୟମ ଜାରି ରଖିଛି ବନ୍ୟପ୍ରାଣୀ ବିଭାଗ । ସୁନାବେଡା ଅଭୟାରଣ୍ୟ ଜଳମଡେଇ ଗାଁ ଆଖପାଖ ଅଞ୍ଚଳରେ ବନ୍ୟପ୍ରାଣୀ ବିଭାଗ ରେଞ୍ଜର ଶିବ ପ୍ରସାଦ ଖାମାରିଙ୍କ ନେତୃତ୍ୱରେ ୨୦ଜଣିଆ ସ୍ୱତନ୍ତ୍ର ଟିମ ପହଞ୍ଚିଛି । ବାଘର ଗତିବିଧି ନିୟନ୍ତ୍ରଣ କରିବାପାଇଁ ଜଙ୍ଗଲର ବିଭିନ୍ନ ସ୍ଥାନରେ ୧୦ଗୋଟି ଟ୍ରାପ କ୍ୟାମେରା ଖଞ୍ଜା ଯାଇଥିବାବେଳେ ଗାଁଗୁଡିକରେ ତୁହାକୁତୁହା ବୈଠକ କରି ଲୋକଙ୍କୁ ସଚେତନ କରୁଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବାଡିରୁ ମହିଳାଙ୍କୁ ଝାମ୍ପି ନେଲା ମହାବଳ, ଆତଙ୍କିତ ଗାଁ ଲୋକ
ପୂର୍ବରୁ ଘଟିଥିବା ଘଟଣା:ପ୍ରକାଶଥାଉକି, ଗତ ୨୦୧୭ ମସିହାରେ ହଳଦୀ ଗାଁରେ ୪ବର୍ଷର ଛଗନ ପାଣ୍ଡେ ନାମକ ନାବାଳକ ଶିଶୁ ମାଆ କୋଳରେ ଶୋଇଥିବାବେଳେ, କଲରାପତରିଆ ବାଘ ଝାମ୍ପି ଖାଇଯାଇଥିଲା । ସେହି ଭୟ ଲୋକଙ୍କ ଠାରୁ ଯାଇନଥିବାବେଳେ ଏବେ କ୍ରମାଗତ ଭାବରେ ବାଘ ଆତଙ୍କ ଖେଳାଇ ଚାଲିଛି । ଗତ ଏକମାସ ହେବ ସିନାପାଲି ବନାଞ୍ଚଳ ଅଧିନସ୍ଥ ହୀରାପୁର ଗାଁରେ ଜଣକୁ ଆକ୍ରମଣ କରିଥିଲା ବାଘ । ଗାଁର ସେନାପତି ମାଝୀ ନାମକ ଯୁବକକୁ ଆକ୍ରମଣ କରିଥିବା ବେଳେ ଅଲ୍ପକେ ବର୍ତ୍ତି ଯାଇଥିଲେ ଯୁବକ ସେନାପତି ମାଝୀ । ଏହାପରେ ନୂଆପଡା ବନାଞ୍ଚଳ ଅଧିନସ୍ଥ ଲୋଡ୍ରା ଗାଁରେ ଆତଙ୍କ ରଚିଥିଲା ବାଘ । ଏବେ ପୁଣି ୧୯ତାରିଖ ରବିବାର ରାତ୍ରିରେ ଜଳମଡେଇ ଗାଁରେ ସାନମତି ବାରିକ ନାମକ ବୃଦ୍ଧାଙ୍କୁ ଘର ବାଡ଼ିରୁ ବାଘ ଝାମ୍ପି ମାରି ଦେଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ମଙ୍ଗଳବାର ରାତିରେ ପୁଣି ଆତଙ୍କ ଖେଳାଇଛି କଲରାପତରିଆ । ଜଳମଡେଇ ଗାଁର ରାମସିଂ ବାରିକଙ୍କ ଗାଈ ଗୁହାଳକୁ ଝାମ୍ପ ମାରି ଗାଇ ବାଛୁରୀକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ବାଘକୁ କାବୁ କରିବା ପାଇଁ ନାକେଦମ ବନ ବିଭାଗ ।
ଇଟିଭି ଭାରତ, ନୂଆପଡା