ଓଡିଶା

odisha

ETV Bharat / state

ନୂଆପଡାରେ ନିଅଣ୍ଟିଆ ବର୍ଷାରେ ମରୁଡି ପରିସ୍ଥିତି, ହତାଶ ଚାଷୀ - ନୂଆପଡାରେ ବର୍ଷା ଗାଏବ

ରାଜ୍ୟରେ ମୌସୁମୀ ଦୁର୍ବଳ ହେବାରୁ ବର୍ଷା ଗାଏବ ହୋଇଛି । ଯେଉଁ ସମୟରେ ବର୍ଷା ଢାଳିବା କଥା ସେହି ସମୟରେ ବର୍ଷାର ଦେଖାନାହିଁ । ନୂଆପଡା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ କ୍ଷତି ସହିଛି ଚାଷୀ । ଅଧିକ ପଢନ୍ତୁ

low rain fall in nuapada
ନୂଆପଡାରେ ନିଅଣ୍ଟିଆ ବର୍ଷାରେ ମରୁଡି ପରିସ୍ଥିତି

By

Published : Jul 12, 2023, 1:25 PM IST

ନୂଆପଡାରେ ନିଅଣ୍ଟିଆ ବର୍ଷାରେ ମରୁଡି ପରିସ୍ଥିତି

ନୂଆପଡା:ଉତ୍ତର ଭାରତରେ ବର୍ଷା ବିପତ୍ତି ଆଣିଛି । ଜଳବନ୍ଦୀ ଜୀବନ କାଟୁଛନ୍ତି ଲୋକେ । ଅନବରତ ବର୍ଷା ଉତ୍ତର ଭାରତର 5 ରାଜ୍ୟରେ ଜଳପ୍ରଳୟ ସୃଷ୍ଟି କରିଛି ହେଲେ ଓଡିଶାରେ ବର୍ଷାର ଦେଖା ନାହିଁ । ଉତ୍ତର ଭାରତ ଭାସୁଥିବାବେଳେ ଓଡିଶାରେ ବର୍ଷା ଗାଏବ । ରାଜ୍ୟରେ ଅସରାଏ ହେଲେ 5 ଦିନ ବର୍ଷା ଉଭାନ । ଲୁଚକାଳି ଖେଳୁଛି ବର୍ଷା । ଆଷାଢ଼ ଯାଇ ଶ୍ରାବଣ ସରିବାକୁ ବସିଲାଣି ହେଲେ ବର୍ଷାର ଦେଖାନାହିଁ । ନୂଆପଡ଼ା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପାଇଁ ହତାଶ ହୋଇଛନ୍ତି ଚାଷୀ । ଯେଉଁ ସମୟରେ ବର୍ଷା ଢାଳିବା କଥା ସେହି ସମୟରେ ବର୍ଷାର ଦେଖାନାହିଁ । ଫଳରେ ଚାଷ ଜମି ଫାଟି ଆଁ କରିଛି । ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ନୂଆପଡା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ କ୍ଷତି ସହିଛି ଚାଷୀ ।

ରାଜ୍ୟରେ ମୌସୁମୀ ଦୁର୍ବଳ ହେବାରୁ ସ୍ବଳ୍ପ ବୃଷ୍ଟିପାତ ହୋଇଛି । ବର୍ଷା ଅଭାବରୁ ଧାନଗଛରେ ଉଇହୁଙ୍କା ହୋଇଛି । ଧାନ ତଳି ଗୁଡିକ ପାଣି ଅଭାବ କାରଣରୁ ମରିବାକୁ ବସିଛି । ଚାଷୀ ଚାଷ ଜମିରେ ବିହନ ବୁଣି ମୁଣ୍ଡରେ ହାତ ଦେଇ ଚିନ୍ତାରେ ଭାଙ୍ଗିପଡିଛି । ଚଳିତ 2023 ଖରିଫ ବର୍ଷ ନୂଆପଡା ଜିଲ୍ଲାର ଧାନ ଚାଷୀଙ୍କ ପାଇଁ ଦାଉ ଦାଉ ସାଜିଛି ସ୍ୱଳ୍ପ ବୃଷ୍ଟିପାତ । କମ ବର୍ଷା କାରଣରୁ ଜିଲ୍ଲାରେ ଚାଷ କାମ ଆଗେଇ ପାରୁନାହିଁ । ଆଷାଢ଼ ମାସ ଯାଇ ଶ୍ରାବଣ ସରିବା ସରିବା ହେଲାଣି ହେଲେ ଇନ୍ଦ୍ର ଦେବତାଙ୍କ କୃପା ହେଲା ନାହିଁ । ଯେଉଁ ଆଡେ ଦେଖିବ ଚାଷ ଜମି ଫାଟି ଆଁ କରିଛି । ଟୋପାଏ ହେଲେ ପାଣି ନାହିଁ । ହଜାର ହଜାର ହେକ୍ଟର ଚାଷ ଜମି ଶୁଖିଲା ପଡିଛି । ଧାନ ତଳି ଗୁଡିକ ପାଣି ଅଭାବ କାରଣରୁ ମରିବାକୁ ବସିଛି ।

ଏହା ବି ପଢନ୍ତୁ...ନବରଙ୍ଗପୁରରେ ବର୍ଷା ଉଭାନ, ୮୫% ଜମି ଫାଟି ଆଁ

ଚଳିତ 2023 ଖରିଫ ବର୍ଷ ପାଇଁ ନୂଆପଡା କୃଷି ବିଭାଗ 1 ଲକ୍ଷ 88ହଜାର 980 ହେକ୍ଟର ବିଭିନ୍ନ ଫସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ସେଥିମଧ୍ୟରୁ 87 ହଜାର 500 ହେକ୍ଟର ଧାନ ଫସଲ ପାଇଁ, 16 ହଜାର 500 ହେକ୍ଟର କପା ଫସଳ ପାଇଁ ଏବଂ 444 ହେକ୍ଟର ମକା ଫସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଧାନ ବୁଣା, ତଳି ପକା ,କପା, ମକା ଆଦି ବିଭିନ୍ନ ଫସଲ କାମରେ ଚାଷୀ ଲାଗି ପଡିଛନ୍ତି । ଠିକ ସମୟରେ ପାଗ ଅନୁକୂଳ ଦେଖି କାମ ସାରି ଦେଇଛି ଚାଷୀ । ହେଲେ ଆବଶ୍ୟକ ସମୟରେ ବର୍ଷାର ଦେଖାନାହିଁ । ଜିଲ୍ଲାରେ ଆବଶ୍ୟକଠାରୁ କାମ ବୃଷ୍ଟିପାତ ହୋଇଥିବା ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଖଡ଼ିଆଳ ସହକାରୀ କୃଷି ଅଧିକାରୀ ତ୍ରିନାଥ ତାଣ୍ଡି। ସେ କହିଛନ୍ତି, "ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ ଆଂଶିକ ବାଧାପ୍ରାପ୍ତ ହେବ। ଏଭଳି ସମସ୍ୟା ପ୍ରାୟତଃ ଦେଖା ଯାଇଥାଏ। କିନ୍ତୁ ପରବର୍ତ୍ତୀ ସମୟରେ କୋଡ଼ାଖୋସା କରି ସାର ଦେଲେ ସବୁ କିଛି ସ୍ବାଭାବିକ ହୋଇଯାଏ ।"

ଏହା ବି ପଢନ୍ତୁ...ଚିନ୍ତା ବଢାଇଛି ନିଅଣ୍ଟିଆ ବର୍ଷା; ମୌସୁମୀ ଦୁର୍ବଳ, ପ୍ରବଳ ଗରମରେ ହନ୍ତସନ୍ତ ଲୋକେ

ଘରେ ଯାହା କିଛି ଟଙ୍କା ଥିଲା ସେଥିରେ ବିହନ ଆଣି ଚାଷ ଜମିରେ ବୁଣିଲେ ହେଲେ ଏବେ ବର୍ଷା ନଥିବାରୁ ସବୁ କିଛି ଛାରଖାର ହୋଇଛି । ପାଣି ଅପେକ୍ଷାରେ ବିହନ । ଆକାଶରେ ମେଘ ଉଠୁଛି ହେଲେ ବର୍ଷା ନାହିଁ । ଯାହାକୁ ନେଇ ଚାଷୀ ହତାଶ ହୋଇଛି । ଏପରି ସ୍ଥିତିରେ ଚାଷୀ ପରିବାର ଚଳାଇବା ଚିନ୍ତାରେ ପଡିଛି । ଚାଷକାମ ଉପରେ ଚାଷୀଙ୍କ ଭରଷା ତୁଟି ଯାଉଛି । ସରକାର ତୁରନ୍ତ ତଦନ୍ତ କରି ସହାୟତା ଯୋଗାଇ ଦେବାକୁ ଚାଷୀ ସମୂହ ଅନୁରୋଧ କରିଛନ୍ତି । ସେପଟେ ବର୍ଷାକୁ ଅନେଇ ବସିଛନ୍ତି ଚାଷୀ ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details