ନୂଆପଡା: ନୂଆପଡା ଜିଲ୍ଲା ହାତୀବନ୍ଧା ଗାଁରେ ପରିମଳ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇ ପଡିଛି । ଗାଁ ଦାଣ୍ଡ ରାସ୍ତା କଡରେ ମଇଳା ଆବର୍ଜନା ପଡି ରହିଥିବାବେଳେ ଅସ୍ବାସ୍ଥ୍ୟକର ପରିବେଶ ଦେଖାଦେଇଛି। ଖରା ବର୍ଷା ଶୀତ ସବୁବେଳେ ଗାଁ ଦାଣ୍ଡରେ ମଇଳା ପାଣି ଜମାଟ ବାନ୍ଧୁଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢି ଗ୍ରାମ ଲୋକମାନେ ମ୍ୟାଲେରିଆ ଜ୍ବରରେ ପୀଡିତ ହେଉଥିବା ଅଭିଯୋଗ କରିଛନ୍ତି।
ଚାରିଛକ, ଗହଟିଆ ପଡା,ବେହେରା ପଡା,କାଣ୍ଡ ପଡା,ହରିଜନ ପଡା,ପଟେଲ ପଡା ଆଦି ଅଂଚଳରେ ମଇଳା ପାଣି ରାସ୍ତା ଉପରେ ଭାସିଆସି ମାଳି ପଡା, ମେହେର ପଡାରେ ଜମାଟ ବାନ୍ଧୁଛି। ଫଳରେ ସ୍ଥାନୀୟ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ବାରମ୍ବାର ହାତୀବନ୍ଧା ଗ୍ରାମପଞ୍ଚାୟତକୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଗାଁଲୋକେ ଅଭିଯୋଗ କରିଛନ୍ତି ।