ନୂଆପଡା: ବୋଡେନ ଥାନା କୋଟଗାଁ କୁର୍ଲାମୁଣ୍ଡାପଡାରେ ଅଧିକ ଯୌତୁକ ଦାବିକରି ନବବଧୂଙ୍କୁ ହତ୍ୟା ଅଭିଯୋଗ । ମୃତ ମହିଳାଙ୍କ ପିତା ପବିତ୍ର ଚିନ୍ଦାଙ୍କ ଲିଖିତ ଅଭିଯୋଗ ପରେ ବୋଡେନ ପୋଲିସର ନିଦ ଭାଙ୍ଗିଛି । ଆଜି ବୋଡେନ ପୋଲିସ, ମାଜିଷ୍ଟେଟ ଏବଂ ଡାକ୍ତରୀଦଳ କୋଟଗାଁ କୁର୍ଳାମୁଣ୍ଡାପଡା ମଶାଣିକୁ ଯାଇ ପୋତା ଯାଇଥିବା ସ୍ଥାନରୁ ମହିଳାଙ୍କ ଗଳିତ ମୃତଦେହକୁ ମାଟିତଳୁ ଉଦ୍ଧାର କରି ବ୍ୟବଚ୍ଛେଦ କରିଛନ୍ତି । ସୂଚନାରୁ ପ୍ରକାଶ ଯେ ଘଟଣାକୁ ଚପାଇ ଦେବାପାଇଁ ମୃତ ମହିଳାଙ୍କ ମୃତଦେହକୁ ବୋଡେନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ବାହାନାରେ ଅଣାଯାଇଥିଲା । ହେଲେ କେଉଁ କାରଣରୁ ବ୍ୟବଚ୍ଛେଦ ନକରି ଛାଡିଦେଇଥିଲେ ତାହା ସାଧାରଣରେ ଚର୍ଚ୍ଚା ଜୋରଧରିଛି ।
ମହିଳାଙ୍କ ସ୍ଵାମୀ ଭଲ ଚିନ୍ଦା, ଶ୍ଵଶୁର ଗୋବିନ୍ଦ ଚିନ୍ଦା ଏବଂ ଶାଶୁ ନବବଧୂଙ୍କୁ ହୋଣ୍ଡାସାଇନ ମୋଟର ସାଇକଲ, 2 ତୋଳା ସୁନାଗହଣା ଦୀର୍ଘ ଦିନରୁ ଦାବିକରି ଆସୁଥିଲେ । ମୃତ ଲକ୍ଷ୍ମୀ ଚିନ୍ଦାଙ୍କ ବାପଘର ଦାବି ମୁତାବକ ସମୟସୀମା ମଧ୍ୟରେ ଯୌତୁକ ଦେଇ ପାରିନଥିଲେ । ଫଳରେ ମହିଳାଙ୍କ ସ୍ଵାମୀ, ଶ୍ଵଶୁର , ଶାଶୁ ମିଳିତ ଭାବରେ ମହିଳାଙ୍କୁ ହତ୍ୟାକରି ଗାଁ ନିକଟସ୍ଥ ମଶାଣିରେ ପୋତି ଦେଇଥିବା ମୃତ ମହିଳାଙ୍କ ପିତା ପବିତ୍ର ଚିନ୍ଦା ବୋଡେନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଆଜି ବୋଡେନ ପୋଲିସର ନିଦ ଭାଙ୍ଗି ତତ୍ପରତା ଦେଖାଇଛି । ବୋଡେନ ପୋଲିସ, ମାଜିଷ୍ଟେଟ, ଡାକ୍ତରୀଦଳ କୋଟଗା ର୍ଳାମୁଣ୍ଡାପଡା ମଶାଣିକୁଯାଇ ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଉଛି । ଅପରପକ୍ଷେ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଫାଶୀଦଣ୍ଡ ଦାବିକରିଛନ୍ତି ।