ନୂଆପଡା:ମହାମାରୀ କୋଭିଡ 19 ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଜିଲ୍ଲା ସଦର ମହକୁମା ଠାରୁ 120 କିଲୋମିଟର ଦୂରତା ମାଓ ପ୍ରବଣ ସିନାପାଲି ବ୍ଲକ ନୂଆମାଲପଡା ଗ୍ରାମ ପଞ୍ଚାୟତର ଖନ୍ଦାପଡା ଗ୍ରାମରେ ମହାମାରୀ କୋଭିଡ 19 ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି।
ନୂଆମାଲପଡା ସରପଞ୍ଚ ନାକବୁନ୍ଧିଆ ଚିନ୍ଦା କୋଭିଡ-19 ଯୁଦ୍ଧରେ ହାରିଯାଇ ଗତ କିଛି ଦିନ ହେବ ମୃତ୍ୟୁବରଣ କରିଛନ୍ତି । ତାଙ୍କ ମୃତ୍ୟୁରେ ଜିଲ୍ଲା ବ୍ୟାପି ଶୋକ ର ଛାୟା ଖେଳିଯାଇଥିବାବେଳେ ନାଏବ ସରପଞ୍ଚ ବନିତା ପୋଢ଼ଙ୍କୁ ସରପଞ୍ଚଙ୍କ ଦାୟିତ୍ୱ ଅର୍ପଣ କରିଛନ୍ତି ନୂଆପଡା ଜିଲ୍ଲାପାଳ। ନୂଆମାଲପଡା ଗ୍ରାମପଞ୍ଚାୟତ ନବାଗତ ସରପଞ୍ଚ ବନିତା ପୋଢ଼ଙ୍କ ନେତୃତ୍ବରେ ଆଜି ଖନ୍ଦାପଡା ଗ୍ରାମ ଠାରେ ଘର ଘର ବୁଲି ମାସ୍କ, ସାନିଟାଇଜର,ସାବୁନ ବଣ୍ଟନ କରିଛନ୍ତି । ମହାମାରୀ କୋଭିଡ19 ରୁ ନୂଆମାଲପଡା ଗ୍ରାମ ପଞ୍ଚାୟତବାସୀ କିଭଳି ସୁରକ୍ଷିତ ଜୀବନ ଯାପନ କରିବେ, ଏହି ଦିଗରେ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିଛନ୍ତି। ମାସ୍କ ବ୍ୟବହାର, ସାନିଟାଇଜର ବ୍ୟବହାର, ସାମାଜିକ ଦୂରତା ସମ୍ପର୍କରେ ସ୍ପଷ୍ଟ ଭାବେ ଲୋକଙ୍କୁ ବୁଝାଇଛନ୍ତି।