ନୂଆପଡା: ଜିଲ୍ଲାର ଖଡ଼ିଆଳ ଥାନା ଅନ୍ତର୍ଗତ ତୁକୁଳା ଗାଁ ଠାରେ ଥିବା ସହଜ ଗ୍ରାହକ ସେବାକେନ୍ଦ୍ରରେ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇ ଖଡ଼ିଆଳ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ପରିଚାଳକ ତ୍ରିଲୋଚନ ମେହେରଙ୍କୁ ଖଡ଼ିଆଳ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି।
ସୂଚନା ଅନୁସାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଅଧୀନରେ ଥିବା ତୁକୁଳା ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ପରିଚାଳକ ତ୍ରିଲୋଚନ ମେହେର ଏକାଧିକ ଗ୍ରାହକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରିଥିବା ଜଣାପଡିଛି । ଏନେଇ ଗ୍ରାହକ ଗିରିଧାରୀ ସୁନା, ବିକାଶ ସୁନା, ରାମସୁନ୍ଦର ବଗର୍ତ୍ତି ଏବଂ ମୋହିତ କୁମାର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ପରିଚାଳକ ତ୍ରିଲୋଚନ ମେହେର ଗ୍ରାହକ ମାନେ ଟଙ୍କା ଜମା କରିବା ସମୟରେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା ନକରି ସିଧାସଳଖ ନିଜ ଆକାଉଣ୍ଟରେ ଜମା କରିନେଉଥିଲେ । ମେସିନ ଖରାପ ଅଛି କହି ପାସବୁକ ତୁରନ୍ତ ପ୍ରିଣ୍ଟ କରୁନଥିଲେ । ଯାହାଫଳରେ ସଙ୍ଗେସଙ୍ଗେ ଗ୍ରାହକ ଜାଣିପାରୁନ ଥିଲେ ।