ଓଡିଶା

odisha

ETV Bharat / state

ଦାଦନ ଦୁଃଖ: ଟଙ୍କା ମାଗିବାରୁ ଆଙ୍ଗୁଠି କାଟିଦେଲା ଦଲାଲ

ଅକଥନୀୟ ନିର୍ଯ୍ୟାତନାର ଶିକାର ହୋଇଥିବା ନୂଆପଡା ଟିକ୍ରାପଡା ଗାଁର ଚମରୁ ପହରିଆ ନ୍ୟାୟ ଅପେକ୍ଷାରେ । କାମ ପରେ ନିଜ ପ୍ରାପ୍ୟ ଟଙ୍କା ମାଗିବାରୁ ତାଙ୍କୁ ହରାଇବାକୁ ପଡିଛି ନିଜ ହାତ ଓ ଗୋଡର ଆଙ୍ଗୁଠି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ :ପ୍ରତିନିଧି, ନୂଆପଡା

By

Published : Oct 12, 2019, 5:29 PM IST

ନୂଆପଡା: ଥମୁନି ଦାଦନ ଦୁଃଖ । ପେଟ ପାଇଁ ଖଟିବାକୁ ଯାଇ ସର୍ବଦା ନାନାଦି ନିର୍ଯ୍ୟାତନାର ଶିକାର ଦାଦନ । କାମ ପରେ ନିଜ ପ୍ରାପ୍ୟ ଟଙ୍କା ମାଗିବାକୁ ଗଲେ ଅନେକ ସମୟରେ ଶ୍ରମିକ ହରାଉଛନ୍ତି ନିଜ ଗୋଡହାତ । ଏମିତି ଏକ ଲୋମହର୍ଷଣକାରୀ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ନୂଆପଡା ଟିକ୍ରାପଡା ଗାଁର ଚମରୁ ପହରିଆ ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ନୂଆପଡା

ଚମରୁ ପହରିଆପଡାରେ ନିଜ ପୁଅ ତୁଳାରାମ ପହରିଆ, ବୋହୂ ଜଳେଶ୍ଵରୀ ପହରିଆ ଏବଂ ଦେଢ ବର୍ଷର ନାତୁଣୀ ଦିବ୍ୟା ସହ ରୁହନ୍ତି । 13 ବର୍ଷ ପୂର୍ବେ ଚମରୁଙ୍କ ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ପରିବାର ଆର୍ଥିକ ଅନଟନ ତାଙ୍କୁ ନେଇଯାଏ ରାଜ୍ୟ ବାହାରକୁ । ଆଉ ତାଙ୍କ ଦାରିଦ୍ର୍ୟତାର ସୁଯୋଗ ନେଇଥିଲେ ଶ୍ରମିକ ଦଲାଲ ଡ଼ୋଲାମଣୀ ସତନାମୀ ଏବଂ ବିଦେଶୀ ସୁନାନି । ଶ୍ରମିକ ଚମରୁ ପହରିଆଙ୍କୁ ଅର୍ଥର ପ୍ରଲୋଭନ ଦେଖାଇ ସୁଦୂର ମହାରାଷ୍ଟ୍ର ନାଗପୁରକୁ ନେଇଥିଲେ ଉଭୟ ।

ସେଠାରେ ଏକ ଗୃହ ନିର୍ମାଣ କମ୍ପାନୀରେ କାମ କରୁଥିଲେ ଚମରୁ । କାମ ସରିବା ପରେ ଠିକାଦାରଙ୍କୁ ମାଗିଥିଲେ ନିଜ ପ୍ରାପ୍ୟ ଟଙ୍କା । ହେଲେ ଏଥିରେ ଉତକ୍ଷିପ୍ତ ଶ୍ରମିକ ଦଲାଲ ଡ଼ୋଲାମଣୀ ସତନାମୀ ତାଙ୍କର ଡାହାଣ ଗୋଡର 5ଟି ଆଙ୍ଗୁଳି ଏବଂ ଡାହାଣ ହାତର 3ଟି ଆଙ୍ଗୁଳି କାଟି ଦେଇ ଖସି ପଳାଇଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାଗପୁର ରେଲବାଇ ପୋଲିସ ଚମରୁଙ୍କୁ ଉଦ୍ଧାର କରି ନାଗପୁର ସିଟି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ସେଠାରୁ ଭଲ ହେବା ପରେ ସେ ନିଜ ଗାଁ ଟିକ୍ରାପଡାକୁ ଫେରି ଆସିଥିଲେ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଘଟଣା ସାମନାକୁ ଆସିଥିଲା । ଏନେଇ ଚମରୁ ନିଜ ଗାଁ ଥାନାରେ ଅଭିଯୁକ୍ତ ଶ୍ରମିକ ଦଲାଲ ଡ଼ୋଲାମଣୀ ସତନାମୀ ଏବଂ ବିଦେଶୀ ସୁନାନି ବିରୋଧରେ ଅଭିଯୋଗ କରିଥିଲେ । କିନ୍ତୁ ଏଯାଏଁ ପୋଲିସ ଓ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ସେପଟେ ପୋଲିସ ଓ ପ୍ରଶାସନର ଏଭଳି ଅବହେଳାକୁ କଡା ନିନ୍ଦା କରିଛନ୍ତି ବରିଷ୍ଠ ସାମାଜିକ କର୍ମୀ । ଏଥିସହିତ ଗୁରୁତର ଚମରୁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ସହ ଦଲାଲଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଜିଲ୍ଲା ଦଳିତ ଅଧିକାର ମଞ୍ଚ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details