ନୂଆପଡା: ନିଜ ନାଗରିକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ସ୍ବାସ୍ଥ୍ୟ ସେବା ଯୋଜନା କରିଛନ୍ତି । ହେଲେ ସବୁ ଯୋଜନା ଏବେ ବାଟବଣା । ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଣୟନ କରି ପ୍ରଚାରରେ କେବଳ ଶହଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଯଦି ପ୍ରଚାର ବଦଳରେ ଏହି ଟଙ୍କା ନିରୀହ ଅସହାୟ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଲୋକଙ୍କୁ ପ୍ରଦାନ କରାଯାଆନ୍ତା ଅନେକ ଅସହାୟ ଲୋକ ସହାୟତା ପାଇପାରନ୍ତେ ।
ପୁଣି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିଜୁ ସ୍ବାସ୍ଥ୍ୟ ସେବା ଯୋଜନାରେ ମହିଳାଙ୍କୁ ସର୍ବାଧିକ 10ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇଦେବାର ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ଜଣେ ହେଲେ ପ୍ରକୃତ ହିତାଧିକାରୀ ଏହାର ଲାଭ ପାଉ ନାହାନ୍ତି । ଯାହା ଯୋଜନାର ଉଦ୍ଦେଶ୍ୟକୁ ନେଇ ଏବେ ବିରାଟ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାମାନ୍ୟ ଚିକିତ୍ସା ସୁବିଧା ନପାଇ ଜଣେ ମା ଆଜିକୁ ପାଞ୍ଚ ବର୍ଷ ହେଲା ଅତି ଦୟନୀୟ ଭାବେ କଷ୍ଟ ଦାୟକ ଜୀବନ ଯାପନ କରୁଛନ୍ତି । ଯାହା ସରକାରଙ୍କ ଚିକିତ୍ସା ବ୍ୟବସ୍ଥାଓ ଯୋଜନା ପାଇଁ ଶକ୍ତ ଧକ୍କା ।
ଏମିତି ଜଣେ ଅସହାୟ ମହିଳା ହେଉଛନ୍ତି ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପଲେନବସା ଗାଁର ମଙ୍ଗଲ ସିଂ ରାଉତଙ୍କ ସ୍ତ୍ରୀ ପ୍ରମିଳା ରାଉତ । ପ୍ରମିଳା ଆଜକୁ ପାଞ୍ଚବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିଲେ । ଧୀରେ ଧୀରେ ରୋଗ ବଢିବାରୁ ତାଙ୍କୁ ପ୍ରଥମେ ବୋଡେନ, ଭବାନୀପାଟଣା, ନୂଆପଡା ଓ ସୋନପୁରକୁ ନେଇ ଚିକିତ୍ସା କରାଇଥିଲେ ହେଲେ ପ୍ରମିଳା ଭଲ ହେବା ପରିବର୍ତ୍ତେ ଆହୁରି ଦୁର୍ବଳ ହେବା ସହ ହାତ ଗୋଡ ଦୁର୍ବଳ ହୋଇ ସରୁ ହୋଇଗଲା । ଯାହା ପ୍ରମିଳାଙ୍କୁ ଏକ ପ୍ରକାର ପଙ୍ଗୁ କରିଦେଇଛି । ଗରିବ ଖଟିଖିଆ ମଙ୍ଗଲ ସିଂ ରାଉତ ପତ୍ନୀଙ୍କୁ ଉଚ୍ଚତର ଚିକିତ୍ସା କରାଇବା ପାଇଁ ପ୍ରଶାସନକୁ ନେହୁରା ହେଉଥିଲେ ମଧ୍ୟ କୌଣସି ସହାୟତା ପାଇନାହାନ୍ତି ।