ନୂଆପଡା:ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖ ଲୋକଙ୍କ ମନରେ ତାଜା ରହିଥିବା ବେଳେ ଏବେ ରାଜ୍ୟରେ ଆଉ ଏକ ଟ୍ରେନରେ ନିଆଁ ଲାଗିବାର ଖବର ଆସିଛି । ନୂଆପଡା ଜିଲ୍ଲା ଖରିଆର ରୋଡ ରେଳ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନରେ ଏହି ନିଆଁ ଲାଗିଛି । ଗତକାଲି(ବୁଧବାର) ରାତି ପ୍ରାୟ ୧୦ଟା ସମୟରେ ଟ୍ରେନର ଚକ ତଳେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଷ୍ଟେସନ ପରିସର ପୁରା ଧୂଆଁମୟ ହୋଇଯାଇଥିଲା । ଯାହା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା । ଜୀବନ ବିକଳରେ ଯାତ୍ରୀ ଟ୍ରେନରୁ ଓହ୍ଲାଇ ଏଣେତେଣେ ଦୌଡିବାକୁ ଲାଗିଥିଲେ ।
ସୂଚନା ଅନୁଯାୟୀ, ବୁଧବାର ରାତ୍ରିରେ ଛତିଶଗଡ଼ ରାଜ୍ୟରୁ ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଭାୟା ସମ୍ବଲପୁର ଦେଇ ପୁରୀ ଅଭିମୁଖେ ବାହାରିଥିଲା । ରାତ୍ରି ପ୍ରାୟ ୧୦ଟା ସମୟରେ ଏହି ଦ୍ରୁତଗାମୀ ଏକ୍ସପ୍ରେସ ଓଡିଶାରେ ପ୍ରବେଶ କରିଥିଲା । ନୂଆପଡା ଜିଲ୍ଲାର ପ୍ରଥମ ରେଳ ଷ୍ଟେସନ ଖରିଆର ରୋଡରେ ପହଞ୍ଚିଥିଲା । ଏହି ସମୟରେ ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସର B3 AC କୋଚ ତଳ ଚକରେ ନିଆଁ ଲାଗିଥିବା ଲୋକ ପାଇଲଟ ଓ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ପ୍ରବଳ ଧୂଆଁ କ୍ଷଣିକ ମଧ୍ୟରେ ବ୍ୟାପି ଯିବା ପରେ ଲୋକ ପାଇଲଟ ତତ୍କ୍ଷଣାତ ରେଳ କର୍ମଚାରୀମାନଙ୍କୁ ସୂଚନା ଦେଇଥିଲେ । ଏହାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।