ନୂଆପଡା: ନୂଆପଡା ଜିଲ୍ଲା ଟାଉନ ଥାନା ମହିଳା କନେଷ୍ଟବଳ ରଶ୍ମିତା ନାୟକଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ । ଯାହାଙ୍କ କାମକୁ ଭୁରିଭୁରି ପ୍ରଶଂସା କରିଛନ୍ତି ନୂଆପଡା ଜିଲ୍ଲାବାସୀ । ମହାମାରୀ କୋଭିଡ-19 ମହାଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି କନେଷ୍ଟବଳ ରଶ୍ମିତା ନାୟକ । ବିପଦକୁ ଖାତିର ନକରି ନିଜ 6ବର୍ଷର ଶିଶୁ କନ୍ୟାକୁ ଘରେ ଏକୁଟିଆ ଛାଡି କୋରୋନା ବିରଦ୍ଧରେ ସଂଗ୍ରାମ କରୁଛନ୍ତି ଏହି ମହିଳା କନେଷ୍ଟବଳ ।
ନିଷ୍ଠାପର କର୍ତ୍ତବ୍ୟ ଓ ସାଧନା ସହ ପୁଣି ଜଣେ ମା'ର ଦାୟିତ୍ବ । ମହାମାରୀ କୋରୋନା ଯୋଗୁଁ ଦେଶରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଏଭଳି ସ୍ଥିତିରେ କୋରୋନା ମୁକାବିଲାର ଜଣେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ରଶ୍ମିତା ନାୟକ । ସେ ଓ ତାଙ୍କ ସ୍ବାମୀ ଶେଷଦେବ ବିଶି ମଧ୍ୟ ଜଣେ ପୋଲିସ କନେଷ୍ଟବଳ ଭାବେ ନୂଆପଡା ଜିଲ୍ଲା ଟାଉନ ଥାନାରେ କାର୍ଯ୍ୟରତ । ଗୋଟିଏ ପଟେ କୋଭିଡ-19 ମହାସଙ୍କଟ ତ ଆଉ ଗୋଟିଏ ପଟେ ଜଣେ ମା' ର ମମତା । ଯିଏ ନିଜ 6 ବର୍ଷର ଝିଅକୁ ଏକୁଟିଆ ଘରେ ଛାଡି ଡ୍ୟୁଟି କରିବାକୁ ଯାଉଛନ୍ତି । ନୂଆପଡାର ଏହି ପୋଲିସ ଦମ୍ପତିଙ୍କ କାର୍ଯ୍ୟକୁ ଏବେ ବେଶ ପ୍ରଶଂସା କରାଯାଉଛି ।