ନୂଆପଡା: ବିଜେଡିରେ ଗୋଷ୍ଠୀ କନ୍ଦଳ । ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟକାର୍ତ୍ତା ମଧ୍ୟରେ ଅସନ୍ତୋଷ । ସିନାପାଲି ବ୍ଲକ ବିଜୁ ଜନତା ଦଳ ପୂର୍ବତନ ସଭାପତି ପ୍ରିୟ ରଞ୍ଜନ ମେହେର ସମେତ ଏକ କାଳୀନ 20 ଜଣ କାର୍ଯ୍ୟକର୍ତ୍ତା ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବିଜୁ ଜନତା ଦଳ ଦୁର୍ବଳ ହେବାରେ ଲାଗିଛି । ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବାରମ୍ବାର ପରାଜୟ ହେଉଛନ୍ତି । ଫଳରେ ବିଜୁ ଜନତା ଦଳକୁ ନିର୍ବାଚନ ପରାଜୟ ସ୍ୱୀକାର କରିବାକୁ ପଡୁଛି । ସାଧାରଣ ଭୋଟର ମଧ୍ୟ ବିଜୁ ଜନତା ଦଳରୁ ଦୂରେଇ ରହୁଛନ୍ତି ବୋଲି ବିଜୁ ଜନତା ଦଳ ସିନାପାଲି ବ୍ଲକ ପୂର୍ବତନ ସଭାପତି ପ୍ରିୟ ରଞ୍ଜନ ମେହେର ପ୍ରକାଶ କରିଛନ୍ତି ।
ସେହିଭଳି ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ଲୋକ ପ୍ରିୟତା ଦିନକୁ ଦିନ ହ୍ରାସ ପାଉଛି । ସାଂଗଠାନିକ କାର୍ଯ୍ୟରେ ତୃଣମୂଳ ସ୍ତରରୁ ସମସ୍ତ କାର୍ଯ୍ୟକାର୍ତ୍ତାଙ୍କୁ ନେଇ କାମ କରୁନାହାଁନ୍ତି । କେବଳ ନିର୍ଦ୍ଧିଷ୍ଟ ଗୋଟିଏ ଗୋଷ୍ଠୀକୁ ନେଇ ଦଳ ଭିତରେ ମତ ଭେଦ ସୃଷ୍ଟି କରୁଥିବା ମେହେର ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଦଳୀୟ ବରିଷ୍ଠ ନେତୃମଣ୍ଡଳୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ବିଚାର କଲେ ନାହିଁ । ଫଳରେ ବାଧ୍ୟହୋଇ ଆଜି ବିଭିନ୍ନ ଦାୟିତ୍ଵରେ ଥିବା 20 ଜଣ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।