ଓଡିଶା

odisha

ETV Bharat / state

ଅତ୍ୟାଚାରୀ ମାମୁଁ କବଳରୁ ଖସିଆସିଲେ ଦୁଇ ଶିଶୁ

ସମ୍ପର୍କୀୟ ମାମୁଁ ପିଲା ଦୁହିଁଙ୍କୁ ପାଠ ପଢାଇ ନିଜ ଘରେ ରଖିବା ପାଇଁ ନିଜ ସାଙ୍ଗରେ ନେଇ ଆସିଲେ । କିନ୍ତୁ ସୁରକ୍ଷା ବଦଳରେ ମାମୁଁ ସଇତାନ ସାଜିଲା। ୨ ଶିଶୁଙ୍କୁ ଛେଳି ଜଗୁଆଳି କରିବା ସହ ବାସନ ମାଜିବା, ଗୋବର ଫିଙ୍ଗିବା କାମରେ ନିୟୋଜିତ କରି ମାଡ ମାରୁଥିବା ଶିଶୁମାନେ ଅଭିଯୋଗ କରିଛନ୍ତି।

By

Published : Apr 17, 2019, 4:26 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ହତ୍ୟା ଉଦ୍ୟମ କରୁଥିବା ମାମୁଁ କବଳରୁ ଖସି ଆସିଛନ୍ତି ଦୁଇ ଶିଶୁ। କଂସ, ଶକୁନି ଭଳି ମାମୁଁ କଥା ଆପଣ ପୁରାଣରେ ପଢ଼ିଥିବେ କିନ୍ତୁ ଏହା ପୁରାଣ କି ଗପ ନୁହେଁ ସତ ଘଟଣା। ଦୁଇ ନିରୀହ ଶିଶୁଙ୍କୁ ମାଡ ମାରି ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ କରୁଥିବା ସମ୍ପର୍କୀୟ ମାମୁଁ ପାଖରୁ ଚତୁରତାର ସହ ଖସି ଆସିଛନ୍ତି ଦୁଇ ଶିଶୁ।


ଏଭଳି ଘଟଣା ଘଟିଛି ଜିଲ୍ଲାର ବୋଡେନ ଥାନା ଖଇରା ଗ୍ରାମରେ। ଘଟଣାର ଖବର ପାଇ ଖଇରା ଗ୍ରାମକୁ ପହଞ୍ଚିଥିଲା ଆମ ନୂଆପଡା ଇଟିଭି ଭାରତ କ୍ୟାମେରା ଟିମ। ସେତେବେଳକୁ ୨ ଶିଶୁ ଆତଙ୍କିତ ଅବସ୍ଥାରେ ଖଇରା ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପାଖରେ ରହି ସୁରକ୍ଷା ପାଇଁ ଆକୁଳ ନିବେଦନ କରିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ମାଆ ବାପା ଛେଉଣ୍ଡ ୨ ଶିଶୁଙ୍କୁ ସମ୍ପର୍କୀୟ ମାମୁଁ ବିଶ୍ଵନାଥ ଭୋଇ ମାଡ ମାରି ଟାଙ୍ଗିଆରେ ହାଣି ଦେବାକୁ ଉଦ୍ୟମ କରିଥିବା ୨ ଶିଶୁ ଅଭିଯୋଗ କରିଛନ୍ତି। ସୂଚନାମତେ ବଲାଙ୍ଗୀର ଜିଲ୍ଲା ଧୂମଶୁ ଗାଁର ଭୁର୍ଶୀ ମାଝୀ ଓ ତାଙ୍କ ସ୍ତ୍ରୀ ଟିକେମଣି ମାଝୀ, ଦୁଇ ଶିଶୁ ବାହାଦୁର ମାଝୀ (୧୦) ଏବଂ କନ୍ୟା ଶିବରାତ୍ରି ମାଝୀ (୭)ଙ୍କୁ ଧରି ପେଟ ଚାଖଣ୍ଡେ ପାଇଁ ସୁଦୂର ହାଇଦ୍ରାବାଦ ଇଟା ଭାଟିକୁ ଦାଦନ ଖଟିବାକୁ ଯାଇଥିଲେ।

ଇଟାଭାଟିରେ କାମ କରିବାବେଳେ ଦୁର୍ଘଟଣାରେ ଟିକେମଣିଙ୍କର ମୃତ୍ୟୁ ହୋଇଥିଲା। ସ୍ତ୍ରୀର ମୃତ୍ୟୁ ପରେ ଭୁର୍ଶୀ ମାଝୀ ୨ ସନ୍ତାନକୁ ଧରି ନିଜ ଗାଁ ଧୂମଶୁକୁ ଫେରିଆସିଥିଲେ । କିଛିଦିନ ପରେ ଭୁର୍ଶୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏହାପରେ ୨ ଶିଶୁ ଅନାଥ ହୋଇ ଘୂରି ବୁଲୁଥିଲେ । ଖବର ପାଇ ନୂଆପଡା ଜିଲ୍ଳା ଖଇରା ଗାଁରେ ଥିବା ଶିଶୁଙ୍କ ସମ୍ପର୍କୀୟ ମାମୁଁ ପିଲା ଦୁହିଁଙ୍କୁ ପାଠ ପଢାଇ ନିଜ ଘରେ ରଖିବା ପାଇଁ ନିଜ ସାଙ୍ଗରେ ନେଇ ଆସିଲେ । କିନ୍ତୁ ସୁରକ୍ଷା ବଦଳରେ ମାମୁଁ ସଇତାନ ସାଜିଲା। ୨ ଶିଶୁଙ୍କୁ ଛେଳି ଜଗୁଆଳି କରିବା ସହ ବାସନ ମାଜିବା, ଗୋବର ଫିଙ୍ଗିବା କାମରେ ନିୟୋଜିତ କରି ମାଡ ମାରୁଥିବା ଶିଶୁମାନେ ଅଭିଯୋଗ କରିଛନ୍ତି।

ଘଟଣା ପ୍ରଘଟ ହେବାପରେ ଖଇରା ଗାଁକୁ ଖଡିଆଳସ୍ଥିତ ସାଇ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂଯୋଜକ ଜିତେନ୍ଦ୍ର ନାଥ ପଟ୍ଟନାୟକ ପହଞ୍ଚି ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ହେଲେ ଅଧିକାରୀ ଜଣକ ଘଟଣାକୁ ଗୁରୁତ୍ୱ ନ ଦେଇ ସରପଞ୍ଚ ୱାଡ ମେମ୍ବରଙ୍କୁ ଜିମା ଦିଅନ୍ତୁ ବୋଲି ଫୋନ ଯୋଗେ କହିଥିଲେ। ଶିଶୁଙ୍କୁ ସୁରକ୍ଷା ଦେଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଶିଶୁଙ୍କୁ ନେଇଯିବାକୁ ଅନୁରୋଧ କରିଛନ୍ତି ।

କାରଣ ଶିଶୁ ଦ୍ୱୟ ଭୟଭୀତ ଅଛନ୍ତି। ପୁଣି ସମ୍ପର୍କୀୟ ମାମୁଁ ଘରକୁ ଯିବାକୁ ଚାହୁନାହାଁନ୍ତି ଦୁଇ ଶିଶୁ । ସେମାନେ ପାଠପଢି ସୁରକ୍ଷିତ ରହିବା ପାଇଁ ଚାହୁଁଥିବା କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଘଟଣା ଜାଣିବା ପରେ ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯଦି ଶିଶୁଙ୍କୁ ସୁରକ୍ଷା ନଦିଅନ୍ତି, ତେବେ ଗୁହାରି କରିବା କାହାକୁ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details