ନୟାଗଡ଼: ନୟାଗଡ ଜିଲ୍ଲାରେ ଅଘୋଷିତ ବିଦ୍ୟୁତକାଟରେ ଲୋକେ ହସ୍ତସନ୍ତ । ଜିଲ୍ଲାବ୍ୟାପୀ ଟାଟା ପାୱାର କମ୍ପାନୀର ମନଇଛା ଅଘୋଷିତ ବିଦ୍ୟୁତକାଟ ପ୍ରତିବାଦରେ ଜିଲ୍ଲା କଂଗ୍ରେସର ତିନିଜଣିଆ ପ୍ରତିନିଧି ଦଳ କମ୍ପାନୀର ଜିଲ୍ଲା ମୁଖ୍ୟ ପରିଚାଳକଙ୍କୁ ସାକ୍ଷାତ କରି ବିଦ୍ୟୁତକାଟକୁ ତୁରନ୍ତ ବନ୍ଦ କରିବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନୟାଗଡ ଜିଲ୍ଲାରେ ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ଛୁଇଁଲାଣି । ଯେଉଁଥିରେ, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ଟାଟା ପାୱାର(Tata Power) କର୍ତ୍ତୃପକ୍ଷ ଦିନରାତି ଘଣ୍ଟାଘଣ୍ଟା ଅଘୋଷିତ ବିଦ୍ୟୁତକାଟ୍ କରି ବିଦ୍ୟୁତ ଉପୋଭୋକ୍ତାଙ୍କୁ ନିର୍ଯାତନା ଦେଉଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ।
ଅଘୋଷିତ ବିଦ୍ୟୁତ କାଟର ବେଆଇନ ପରମ୍ପରାକୁ ତୁରନ୍ତ ବନ୍ଦ କରି ସ୍ୱାଭାବିକ ବିଦ୍ୟୁତ ସେବା ଯୋଗାଇବାକୁ ଦାବି କରିଛି ଦଳ । ଆଗକୁ ଯଦି ଏହିଭଳି ଅଘୋଷିତ ବିଦ୍ୟୁତ କାଟ କରି ଜନଜୀବନକୁ ପ୍ରଭାବିତ କରାଯାଏ, ତେବେ କଂଗ୍ରେସ କର୍ମୀ ଟାଟା ପାୱାର ଜିଲ୍ଲା ମୁଖ୍ୟାଳୟ ଆଗରେ ଆନ୍ଦୋଳନ କରି କୌଣସି କର୍ମଚାରୀଙ୍କୁ ଅଫିସ ଭିତରକୁ ଛାଡ଼ିବେ ନାହିଁ । ଏପରିକି ଆଇନ ହାତକୁ ନିଆଯିବ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ । ନିୟମିତ ବିଦ୍ୟୁତ ବିଲ ପୈଠ କରୁଥିବା ଉପୋଭୋକ୍ତାଙ୍କୁ ବିଦ୍ୟୁତକାଟ୍ କରି ନିର୍ଯାତନା ଦେବାର ଅଧିକାର ଟାଟା ପାୱାର କମ୍ପାନୀକୁ ଦେଲା କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।