ନୟାଗଡ଼:ବିଦେଶ ମାଟିରେ ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତିରଞ୍ଜନଙ୍କୁ ସଫଳତା । ଆମେରିକାରେ ଗବେଷଣାରତ ଓଡିଆ ବୈଜ୍ଞାନିକ ତଥା ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଯୁବ ବୈଜ୍ଞାନିକ ଜ୍ୟୋତିରଞ୍ଜନ ବେହେରାଙ୍କୁ ମିଳିଛି ଆଉ ଏକ ସଫଳତା । ତାଙ୍କ ସଫଳତାର କାହାଣୀ ଇଷ୍ଟ୍ ଟେନିସ ଷ୍ଟେଟ୍ ୟୁନିଭର୍ସିଟିର ବାର୍ଷିକ ଗବେଷଣା ପତ୍ରିକା ‘ଇଲୁମିନେଟ୍’ରେ ସ୍ଥାନ ପାଇଛି । ଯାହାକି ସମଗ୍ର ରାଜ୍ୟ ତଥା ଦେଶପାଇଁ ଏହା ଗୈାରବର ବିଷୟ । ଏହି ପତ୍ରିକାରେ କେବଳ ଗବେଷଣାରେ ଉଲ୍ଲେଖନୀୟ ତଥ୍ୟ ହାସଲ କରିଥିବା ଯୁବ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ କରିଥାଏ । ଯାହାକି ଚଳିତ ୨୦୨୨ ମସିହାରେ ସମଗ୍ର ବିଶ୍ବର ୨ଜଣ ବୈଜ୍ଞାନିକଙ୍କ କାହାଣୀ ପ୍ରକାଶ ପାଇଛି ।
ଜ୍ୟୋତିଙ୍କ ସମେତ ଅନ୍ୟ ଜଣେ ବୈଜ୍ଞାନିକ ହେଉଛନ୍ତି ଆଫ୍ରିକା ମହାଦେଶର । ଜ୍ୟୋତିରଞ୍ଜନଙ୍କ ଗବେଷଣା ମୁଖ୍ୟତଃ ଖାଦ୍ୟ ନିରାପତ୍ତା ଉପରେ ପର୍ଯ୍ୟବେଷିତ । ସେ ଗଛ ମାନଙ୍କରୁ କିଭଳି ତୈଳ ଉତ୍ପାଦନ ବୃଦ୍ଧି କରାଯାଇପାରିବ ତାହାର ଉପାୟ ଆବିଷ୍କାର କରିଛନ୍ତି । ମୁଖ୍ୟତଃ ତାଙ୍କ ଦ୍ବାରା ଆବିଷ୍କୃତ ପ୍ରଣାଳୀ ଶରୀର ପାଇଁ ଉପକାରୀ ତେଲ ଗଛ ମାନଙ୍କରୁ ଉତ୍ପାଦନ କରାଯାଇ ପାରିବ । ଏହା ଦ୍ବାରା ହୃଦରୋଗ ଦୂର ହୋଇପାରିବ ଏବଂ ରକ୍ତରେ କୋଲେଷ୍ଟଲର ମାତ୍ରାମଧ୍ୟ କମ୍ କରାଯାଇ ପାରିବ । ଏହା ବ୍ୟତୀତ ଅନ୍ୟ ବୃକ୍ଷ ମାନଙ୍କରୁ ଯାନବାହନରେ ବ୍ୟବହୃତ ଇନ୍ଧନ ଏବଂ ତୈଳ ମଧ୍ୟ ଉତ୍ପାଦନ କରାଯାଇ ପାରିବ । ଯାହାଦ୍ବାରା କି ଭବିଷ୍ୟତରେ ପେଟ୍ରୋଲିୟମ ବିକଳ୍ପ ଭାବରେ ଏହାକୁ ବ୍ୟବହାର କରାଯାଇପାରିବ । ଉତ୍ପାଦନ ବୃଦ୍ଧି ସହିତ ତୈଳ ଜାତୀୟ ଦ୍ରବ୍ୟର ମୂଲ୍ୟ କମ୍ ହେବ ।