ନୟାଗଡ: ପିଡ଼ିଏସ ସାମଗ୍ରୀ ଚୋରା ଚାଲାଣ ଅଭିଯୋଗ । ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରଙ୍କଦେଉଳି ପଞ୍ଚାୟତ ପିଡ଼ିଏସ ଚାଉଳ ଗୋଦାମ ଗୃହରୁ କିଛି ଲୋକ ପିଡ଼ିଏସ ଚାଉଳ ବସ୍ତା ଚୋରି କରୁଥିବା ଟ୍ରକକୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ ।
ଚାଉଳ ଗୋଦାମରେ OD25D6478ନମ୍ବରର ଏକ ମିନିଟ୍ରକରେ ଚାଉଳ ଲୋଡ କରାଯାଉଥିଲା । ଏହାକୁ ଦେଖି ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଚାଉଳ ବୋଝେଇ ଟ୍ରକଟି ରଙ୍କଦେଉଳିରୁ ଗୋଡିପଡା ଅଭିମୁଖେ ଯାଇଥିବାବେଳେ ଗ୍ରାମବାସୀ ଟ୍ରକଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଡ୍ରାଇଭର ଗାଡି ମଡ଼ାଇ ଦେଇ ଖସିଯିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ ଗୋଡିପଡାଠାରେ ଟ୍ରକଟିକୁ କାବୁ କରିଥିଲେ । ଟ୍ରକ ସହ ଡ୍ରାଇଭରକୁ ରଣପୁର ଥାନାରେ ଜିମା ଦେଇଛନ୍ତି ଗ୍ରାମବାସୀ । ଏହି ସହିତ ରଣପୁର ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମାତ୍ର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ l