ନୟାଗଡ଼: ରେଳପଥ ପାଇଁ ଜମି ଅଧିଗ୍ରହଣ ହେଲା । ଲୋକଙ୍କୁ ମିଳିଲାନି କ୍ଷତିପୂରଣ । କ୍ଷତିପୂରଣ ପାଇବାକୁ ଦୀର୍ଘ 6 ମାସ ହେଲା କସରତ କରୁଛନ୍ତି ଗ୍ରାମବାସୀ । ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବାର ନାଁ ଧରୁନାହିଁ । ଆଦିବାସୀଙ୍କ ଚାଷଜମି ରେଳପଥ ନିର୍ମାଣ ପାଇଁ ବ୍ୟବହାର ହେଉଥିବା ବେଳେ ସେମାନଙ୍କୁ ଅନ୍ଧାରରେ ରଖାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଭୂ-ଅର୍ଜନ ଅଧିକାରୀଙ୍କ ଦେଖା ମିଳୁ ନ ଥିବାବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବୁଗୁଡ଼ା କଲୋନୀବାସୀ ପ୍ରାୟ 6 ମାସ ହେବ ଧାରଣାରେ ବସିଥିଲେ ମଧ୍ୟ ସେଥିପ୍ରତି ପ୍ରତି କାହାରି ନିଘା ନାହିଁ ।
ଜମି ବାବଦକୁ କ୍ଷତିପୂରଣ ରାଶି ସେମାନଙ୍କୁ ମିଳିବ ନା ନାହିଁ । ଯଦି ମିଳିବ ତେବେ କେବେ ମିଳିବ । ସେନେଇ ସେମାନଙ୍କୁ ସୂଚନା ମଧ୍ୟ ଦିଆ ଯାଉନାହିଁ । ବୁଗୁଡା ଷ୍ଟେସନ ପାଇଁ ଜମି ଅଧିଗ୍ରହଣ ଆବଶ୍ୟକ ଥିବା ବେଳେ ଜଙ୍ଗଲ ଜମିର ଆଳ ଦେଖାଇ ରେଳ ବିଭାଗ ବିନା କ୍ଷତି ପୂରଣରେ ଲୋକଙ୍କ ଜମି ନେଇଯିବାକୁ ବସିଛି । ଏହାର ପ୍ରତିବାଦରେ ଦୀର୍ଘ ଦିନ ହେଲା ଆନ୍ଦୋଳନ ମଧ୍ୟ ଚାଲିଛି । ପ୍ରଶାସନ ସେମାନଙ୍କ କଥା ଶୁଣିବ ବୋଲି ଆଶା ରଖିଛନ୍ତି । ୧୯୫୫ରୁ ସରକାର ବିଭିନ୍ନ ଜଙ୍ଗଲ ମଧ୍ୟରେ ରହିଥିବା ଆଦିବାସୀଙ୍କୁ ଆଣି ଏଠାରେ ଥଇଥାନ କରି ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରିଛନ୍ତି । ମାତ୍ର ଏହାକୁ ଅଣଦେଖା କରି ସେମାନଙ୍କୁ କ୍ଷତିପୂରଣ ଦେବା ବଦଳରେ ଜମି ଛଡ଼ାଇ ନେବାକୁ ଉଦ୍ୟମ ଚାଲିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି ।