ନୟାଗଡ଼: ସରପଞ୍ଚଙ୍କ ସ୍ବାମୀଙ୍କ ବେଆଇନ କାର୍ଯ୍ୟ । ସରକାରୀ ଅର୍ଥକୁ ପ୍ରୟୋଗ କରି ଗାଁ ରାସ୍ତାରେ ସିମେଣ୍ଟ ପିଣ୍ଡି ଓ କମ୍ୟୁନିଟି ଗୃହ ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି ନୟାଗଡ଼ ସଦରଥାନା ଅଧିନ ରାଜପାଟଣାଗ ପଞ୍ଚାୟତର ଗ୍ରାମବାସୀ । କିଭଳି ଜଣେ ଜନପ୍ରତିନିଧିଙ୍କ ସ୍ବାମୀ ବେଆଇନ କାର୍ଯ୍ୟ କରିଛନ୍ତି, ଏହାକୁ ନେଇ ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଭେଟି ତଦନ୍ତ ଦାବି କରିଛନ୍ତି ।
ରାଜପାଟଣା ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ପୃଷ୍ଟିଙ୍କ ବିରୋଧରେ ସରକାରୀ ଜାଗା ହଡପ ଓ ସରକାରୀ ଅର୍ଥରେ ଘର କରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ତେବେ ଗ୍ରାମବାସୀଙ୍କ କହିବାନୁଯାୟୀ, ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ଭାରତୀୟ ସେନା ଚାକିରୀରୁ ଅବସର ନେବାପରେ ଗାଁରେ ରହୁଛନ୍ତି । ଗତ ନିର୍ବାଚନରେ ସ୍ତ୍ରୀଙ୍କୁ ସରପଞ୍ଚ ପ୍ରାର୍ଥୀ କରି ନିର୍ବାଚନ ଜିତିଥିଲେ । ତେବେ ଗାଁ ମୁଣ୍ଡରେ ଥିବା ସରକାରୀ ଗୋଚର ଜାଗା, ସର୍ବସାଧାରଣ ରାସ୍ତା ଉପରେ ସରକାରୀ ଅର୍ଥ ଓ ଗାଁ କଲ୍ୟାଣ ଫଣ୍ଡରୁ ଖର୍ଚ୍ଚ କରି କିଛି ସିମେଣ୍ଟ ପିଣ୍ଡି ସହ ଚୌକି କରିଥିଲେ ।
ଉଦ୍ଦେଶ୍ୟ ଥିଲା, ସନ୍ଧ୍ୟା ସମୟରେ ଗାଁ ଲୋକମାନେ ଏହି ସ୍ଥାନରେ କଟାଇବେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର ଅତି ଚତୁର ସହ ସେହି ସ୍ଥାନରେ ପୁଣି ସରକାରୀ ଅର୍ଥ ପ୍ରୟୋଗରେ କମ୍ୟୁନିଟି ଗୃହ କରିବା ପାଇଁ 50 ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ଆହୁରି ଲକ୍ଷାଧିକ ଟଙ୍କାର କାମ ହୋଇଛି, ଯାହାପରେ ବିଲ୍ କରିଥାନ୍ତେ । ଏକମାତ୍ର ଉଦ୍ଦେଶ୍ୟ ସେହି ସ୍ଥାନରେ ଏକ ଆର୍ମି କୋଚିଂ ସେଣ୍ଟର ଖୋଲି ପିଲାମାନଙ୍କୁ ପ୍ରଶିକ୍ଷଣ ଦେବେ । ଗ୍ରାମବାସୀ ଏହା ଜାଣିବା ପରେ ଏହାକୁ ବିରୋଧ କରିଛନ୍ତି ।