ନୟାଗଡ଼: ଜିଲ୍ଲାରେ ଦଣ୍ଡଯାତ୍ରାକୁ କେନ୍ଦ୍ର କରି ଗତ ୧୩ ତାରିଖରେ ୨ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହି ସଂଘର୍ଷରେ ଦୁର୍ଗାପ୍ରସାଦ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଧାରଣ ଲୋକଙ୍କ ସହିତ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ତେବେ ଏହି ଘଟଣାରେ ପୋଲିସ ଏଯାବତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିନଥିବା ଅଭିଯୋଗ କରିଛନ୍ତି ଦୁର୍ଗାପ୍ରସାଦ ଗ୍ରାମବାସୀ ।
ଗାଁ ଗାଁ ଭିତରେ ସଂଘର୍ଷ ବେଳେ ଦୁର୍ଗାପ୍ରସାଦ ଗାଁର 28 ବର୍ଷୀୟ ଯୁବକ ନବୀନ ପରିଡ଼ାଙ୍କୁ ଦେଉଳପଲ୍ଲୀ ଗାଁ ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଉଭୟ ଗାଁର ଅନେକ ଲୋକ ଏବଂ ଟାଉନ ଥାନା IIC ସମେତ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣାରେ ନୟାଗଡ଼ ଟାଉନ ଥାନା ପୋଲିସର ଗିରଫଦାରୀ ଜାରୀ ରହିଛି । ଇତିମଧ୍ୟରେ ଦେଉଳପଲ୍ଲୀ ଗାଁର ପ୍ରାୟ 10 ଜଣଙ୍କୁ ଗିରଫ କଲାଣି ପୋଲିସ । କିନ୍ତୁ ଏଯାବତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିନଥିବା ଦୁର୍ଗାପ୍ରସାଦ ଗାଁର ଲୋକେ ଅଭିଯୋଗ ଆଣିଛନ୍ତି । ଏପଟେ ଗିରଫ ଭୟରେ ଦେଉଳପଲ୍ଲୀ ଗାଁ ପୁରୁଷଶୂନ୍ୟ ହୋଇପଡିଛି ।