ନୟାଗଡ଼: ବନ୍ଧା ହେଲେ ନୟାଗଡ ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ (Nayagarh assistant civil supply officer Jayanta das) । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ଟିମ୍ । ଶନିବାର ଭିଜିଲାନ୍ସ ବିଭାଗ 5ଟି ସ୍ଥାନରେ ଚଢ଼ାଉ କରି ଅଢେଇ କୋଟିରୁ ଊର୍ଦ୍ଧ୍ବ ଅଚଳାଚଳ ସମ୍ପତ୍ତି ଠାବ କରିଥିଲା । ଚଢ଼ାଉ ସମୟରେ ଭିଜିଲାନ୍ସ 2 ଲକ୍ଷ 74 ହଜାର 75 ନଗଦ ଟଙ୍କା, ଗୋଟିଏ କାର , 3ଟି ବାଇକ, 4 ଲକ୍ଷ 92 ହଜାର ଟଙ୍କାର ସୁନା ଅଳଙ୍କାର ଜବତ କରିଥିଲା । ଏଥିସହ 9 ଲକ୍ଷ 30 ହଜାର ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଡିପୋଜିଟ 8 ଲକ୍ଷ 64 ହଜାର ଟଙ୍କାର ବୀମା, ଓଡଗାଁରେ 2ଟି ଦୁଇ ମହଲା କୋଠା, ନୟାଗଡ଼ରେ 4 ମହଲା କୋଠା ସହ ନୟାଗଡ଼ରେ 8ଟି ପ୍ଲଟ ଏବଂ ଭୁବନେଶ୍ୱରରେ ଗୋଟିଏ ପ୍ଲଟ ରହିଥିବା ଜାଣିବାକୁ ପାଇଥିଲା ପୋଲିସ ।
ତେବେ ମୋଟ 1 କୋଟି 60 ଲକ୍ଷ 16 ହଜାର 216 ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବା ଭିଜିଲାନ୍ସ ତରଫରୁ ସୂଚନା ମିଳିଛି । ଯୋଗାଣ ଅଧିକାରୀ ଜଣଙ୍କ ଦୀର୍ଘ ଦିନ ଧରି ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ବହୁ ବେନାମୀ ସମ୍ପତ୍ତିର ଅଧିକାରୀ ହୋଇଥିବା ଅଭିଯୋଗ ଥିଲା । ବିଶେଷକରି ଜିଲ୍ଲାର ସମସ୍ତ ରାଇସ ମିଲରଙ୍କ ସହ ତାଙ୍କର ଘନିଷ୍ଠତା ଥିବା ନେଇ ଅଭିଯୋଗ ହେଉଥିଲା ।