ନୟାଗଡ: ଜିଲ୍ଲାର ମୃତ ତପସ୍ବିନୀ ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ । ମୃତ୍ୟୁର ୧୮ ବର୍ଷ ପରେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ତପସ୍ବିନୀଙ୍କ ମୃତ୍ୟୁକୁ ନେଇ ବିଜେଡିର ଟାଣୁଆ ନେତା ଗୟାଧର ପରିଡାଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ତପସ୍ବିନୀଙ୍କ ବାପା ।
ତପସ୍ବିନୀ ମୃତ୍ୟୁ ଘଟଣାରେ ବିଜେଡି ନେତାଙ୍କ ସମ୍ପୃକ୍ତି, ଖଣ୍ଡନ କଲେ ବାପା, ତେଜିଲା ରାଜନୀତି!! ସୂଚନାଅନୁସାରେ, 2003 ମସିହା ଜାନୁଆରୀ 1ତାରିଖରେ ନୟାଗଡ ଜିଲ୍ଲା ଭାପୁର ବ୍ଲକ ବିଜିପୁର ଗାଁର ଅଜୟ ପଟ୍ଟନାୟକଙ୍କ ଝିଅ ତପସ୍ବିନୀ ପଟ୍ଟନାୟକଙ୍କ ସିକିଲସିଲ ରୋଗ ଯୋଗୁଁ ମୃତ୍ୟୁ ହୋଇଥିଲା l ତେବେ ତପସ୍ବିନୀଙ୍କ ମୃତ୍ୟୁକୁ ନେଇ ଏବେ ରାଜନୀତି ଜୋର ଧରିଛି l 18 ବର୍ଷ ତଳର ଏହି ଘଟଣାକୁ ନେଇ ରବି ନାୟକ ନାମକ ଜଣେ ବ୍ୟକ୍ତି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ଘଟଣାଟିର ସତ୍ୟତା ନଥିବାରୁ କ୍ୟାପିଟାଲ ଥାନା ଅଭିଯୋଗ ଗ୍ରହଣ କରିନଥିଲା । ପରେ ଉକ୍ତ ରବି ନାମକ ଯୁବକ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।
ଏହା ଏକ ମୃତ୍ୟୁ ଘଟଣା ଏବଂ ଏଥିରେ ଗୟାଧର ପରିଡାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଛନ୍ତି ରବି ନାୟକ । ତପସ୍ୱିନୀ 2002 ମସିହାରେ ସିକିଲସିଲ ରୋଗରେ ପୀଡିତ ହୋଇଥିଲେ । ଡାକ୍ତର କେ.ଏନ ଦଲାଲଙ୍କ ତତ୍ୱାବଧାନରେ ନୀଳାଚଳ ହସ୍ପିଟାଲରେ ଦେଢ଼ବର୍ଷ ଚିକିତ୍ସିତ ହୋଇଥିଲେ । ପରେ ସ୍ୱାସ୍ଥ୍ୟରେ ଅବନତି ଯୋଗୁଁ 2003 ଜାନୁଆରୀ 1 ତାରିଖରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ମୃତ୍ୟୁ ପରେ ତପସ୍ବିନୀଙ୍କୁ ଘରକୁ ନଆଣି ପୁରୀ ସ୍ୱର୍ଗଦ୍ୱାରକୁ ନେଇ ଶବଦାହ କରିଥିଲେ । ତାଙ୍କ ନିଜ ବଡ ପୁଅ ମାନସ ରଞ୍ଜନ ପଟ୍ଟନାୟକ ଭଉଣୀ ତପସ୍ୱିନୀଙ୍କୁ ମୁଖାଗ୍ନି ଦେଇଥିଲେ ବୋଲି ସୂଚନା ଦେଇଛନ୍ତି ମୃତ ତପସ୍ୱିନୀଙ୍କ ବାପା ।
ତପସ୍ବିନୀଙ୍କ ବାପା କହିଛନ୍ତି ଯେ, "ଦୀର୍ଘ 18ବର୍ଷ ପରେ ମୋ ଝିଅ ତପସ୍ବିନୀକୁ ନେଇ ରାଜନୀତିକରଣ କରାଯାଉଛିି । ତପସ୍ୱିନୀଙ୍କୁ କେହି ହତ୍ୟା କରିନାହାନ୍ତି ବରଂ ରୋଗରେ ସେ ମୃତ୍ୟୁବରଣ କହିଛନ୍ତି । ଯଦି ହତ୍ୟା ହୋଇଥାନ୍ତା ମୁଁ ନିଜେ ସେତେବେଳେ ଅଭିଯୋଗ କରିଥାନ୍ତି । ଏବେ ଏହି ଘଟଣାକୁ ରାଜନୀତି କରାଯାଉଛି । ବିଜେଡି ନେତା ଗୟାଧରଙ୍କୁ ବଦନାମ ପାଇଁ ଏହି ଏକ ଯୋଜନା । ଏଥିରେ ବିଜେଡି ନେତା ଗୟାଧର ପରିଡାଙ୍କ କୌଣସି ସମ୍ପୃକ୍ତି ନାହିଁ ।"
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ